ସୁଦୂର ତାମିଲନାଡୁରୁ ବାଇକରେ ଗଜପତି ଫେରିଲେ ୬ ପ୍ରବାସୀ
ରାୟଗଡ, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ନୂଆଗଡ ଓ ଆର୍.ଉଦୟଗିରି ବ୍ଲକର ୬ଜଣ ପ୍ରବାସୀ ଓଡିଆ ତାମିଲନାଡୁରୁ ବାଇକରେ ଫେରିଛନ୍ତି । ତାଲାବନ୍ଦ ଯୋଗୁଁ ଅନ୍ୟରାଜ୍ୟରେ ଫସି ଥିବା ପ୍ରବାସୀମାନେ ପଞ୍ଜୀକରଣ କଲେ ସେମାନଙ୍କ ନିଜ ନିଜ ଅଞ୍ଚଳରେ ପହଞ୍ଚାଇ ଦିଆଯିବ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆଯାଇଥିଲା । ଏଥିରେ ନୂଆଗଡ ଓ ଆର୍.ଉଦୟଗିରି ଅଞ୍ଚଳରେ ଏହି ୬ଜଣ ପଞ୍ଜୀକରଣ କରିଥିଲେ । ସେମାନଙ୍କୁ ସେଠାରୁ ଆଣିବା ପାଇଁ କିଛି ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ନିଜ ଉଦ୍ୟମରେ ବାଇକ ଯୋଗେ ଆସିଥିବା ଜଣାପଡିଛି । ଏହି ୬ଜଣ ତାମିଲନାଡୁ ରାଜ୍ୟର ସାଲେମ ଜିଲ୍ଲାର ଏରପାଡି ଅଞ୍ଚଳରେ ସେଣ୍ଟ୍ରି ଓ ୱାଟରସେଡରେ କାମ କରୁଥିଲେ । ସେମାନେ ୩ଟି ବାଇକ କିଣି ୪ଦିନରେ ପ୍ରାୟ ୧୪ଶହ କିଲୋମିଟର ରାସ୍ତା ପାର ହୋଇ ଗଜପତି ଜିଲ୍ଲା ହାଡୁଭାଙ୍ଗି ନାକା ପଏଣ୍ଟରେ ପହଞ୍ôଚଥିଲେ । ସେମାନେ ପଞ୍ଜିକରଣ ନମ୍ବର ଦେଖାଇବାପରେ ସେମାନଙ୍କୁ ଗଜପତି ଜିଲ୍ଲାରେ ପ୍ରବେଶ କରାଯାଇଥିଲା । ଏହି ୬ଜଣ ହେଲେ ନୂଆଗଡ ବ୍ଲକର ପରିମଳ ପଞ୍ଚାୟତ, ସମ୍ବଲପୁର ପଞ୍ଚାୟତର ବଣବିଲ, କେରେଡାଙ୍ଗ ପଞ୍ଚାୟତର ଗଙ୍ଗମୁଣ୍ଡା, ଆର୍.ଉଦୟଗିରି ବ୍ଲକର ବସୁମଗୁଡା, କଞ୍ଚିମୁଣ୍ଡା, ଶବରପଲ୍ଲୀ ପଞ୍ଚାୟତର ସୁନ୍ଦୁରୁବା ଗ୍ରାମର ବୋଲି ଜଣାପଡିଛି । ନିୟମ ଅନୁଯାୟୀ ଏହି ୬ଜଣ ବର୍ତ୍ତମାନ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରହିଥିବା ସୁଚନା ମିଳିଛି ।


