କଳିଙ୍ଗା ଘାଟିରେ ଡକାୟତି ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବଇଲ ଲୁଟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଶନିବାର ରାତିରେ ଦୁର୍ବୃତ୍ତମାନେ ଏକ କାର୍‌କୁ ଅଟକାଇ ମାଲିକଙ୍କୁ ଆକ୍ରମଣ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଏନେଇ କାର ମାଲିକ ଶଙ୍କରାଖୋଲ ଗ୍ରାମର ଦ୍ୱିତୀକୃଷ୍ଣ ପାଢୀଙ୍କ ଏତଲାକ୍ରମେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଦ୍ୱିତୀକୃଷ୍ଣ ତାଙ୍କ କାର୍‌ (ନଂ.ଓଡି୦୨ଏସ୍‌-୧୦୦୭)ରେ ଶନିବାର ମହାରାଷ୍ଟ୍ରରୁ ଆସିଥିବା ଝିଅ-ଜ୍ୱାଇଁଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଣି ଗଞ୍ଜାମ ଜିଲା ବେଲଗୁଣ୍ଠାରେ ଛାଡ଼ିଥିଲେ। ସେଠାରୁ ନିଜ ଗ୍ରାମ ଶଙ୍କରାଖୋଲକୁ ଏକାକୀ ଫେରୁଥିବା ବେଳେ କଳିଙ୍ଗା ଘାଟିରେ ରାତି ପ୍ରାୟ ୧୨ଟାବେଳେ ବିଭିନ୍ନ ମାରଣାସ୍ତ୍ରଧାରୀ ୫ରୁ ୭ଜଣ ଦୁର୍ବୃତ୍ତ ରାସ୍ତାରେ ବାଲିବସ୍ତା ପକାଇ ଅଟକାଇଥିଲେ। କାର୍‌ ଅଟକିବା ପରେ ତାଙ୍କୁ ଆକ୍ରମଣ କରି ଦଶହଜାର ଟଙ୍କା ଓ ମୋବାଇଲ ଲୁଟି ନେବା ସହ କାର୍‌ କାଚ ଭାଙ୍ଗି ଦେଇଥିଲେ। ଲକ୍‌ଡାଉନ୍‌ ଯୋଗୁ ଘାଟିରାସ୍ତା ଶୁନ୍‌ଶାନ୍‌ ରହୁଥିବାରୁ ଏପରି ବାରମ୍ବାର ଡକାୟତି ହେଉଛି। ଏହି ଘାଟି ର ସୀମାନ୍ତ ଜି.ଉଦୟଗିରି ଓ ଭଞ୍ଜନଗର ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ