ଧୁମଧାମରେ ଶୀତଳ ଷଷ୍ଠୀ ମହୋତ୍ସବ ପାଳିତ
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢୀ): କନ୍ଧମାଳ ଜିଲ୍ଲା ରାଇକିଆ ସହରରେ ଚଳିତ ବର୍ଷର ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଓ ମହାଦେବଙ୍କ ବିବାହ ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଏବଂ ଉତ୍ସାହର ସହ ଆୟୋଜନ କରାଯାଇଅଛି। ସ୍ଥାନୀୟ ରାଇକିଆ ପୂଜା କମିଟି ଆନୁକୂଲ୍ୟରେ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୁଇ ଦିନ ଧରି ଏହି ଭବ୍ୟ ଯାତ୍ରା ଅନୁଷ୍ଠିତ ହୋଇଥିଲା ଯାହାକୁ ନେଇ ସାରା ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା । ଗୁରୁବାର ଅପରାହ୍ନରେ ପ୍ରଥମେ କନ୍ୟାପିତା ଓ ବରପିତାଙ୍କୁ ପାରମ୍ପରିକ ଟିକା ପ୍ରଦାନ ପୂର୍ବକ ଆମନ୍ତ୍ରଣ କରାଯାଇଥିଲା । ଏହାପରେ ସ୍ଥାନୀୟ ଆର.ଏମ.ସି. ହାଟ ପଡ଼ିଆଠାରୁ ଦେବଦେବ ମହାଦେବଙ୍କ ଏକ ଭବ୍ୟ ବରଯାତ୍ରା ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ବାଦ୍ୟ, ଶଙ୍ଖ ଧ୍ୱନି ଏବଂ ହରିବୋଲ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ସନ୍ଧ୍ୟା ସମୟରେ ବରଯାତ୍ରା ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ଭକ୍ତ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ପ୍ରଭୁଙ୍କ ବାଟବରଣ ନୀତି ସମ୍ପନ୍ନ ହୋଇଥିଲା। ବିଳମ୍ବିତ ରାତିରେ ମହାଦେବ ଏବଂ ମାତା ପାର୍ବତୀଙ୍କର ପବିତ୍ର ବିବାହ ମହୋତ୍ସବ ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ବିବାହ ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଭବ୍ୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିପରି ଶୁକ୍ରବାର ଅପରାହ୍ନରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କର ସୁସଜ୍ଜିତ ଯୁଗଳ ମୂର୍ତ୍ତିଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରଭୁ ନଗର ପରିକ୍ରମା କରି ସାରା ରାଇକିଆ ସହରବାସୀଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ଭକ୍ତମାନେ ନିଜ ନିଜ ଦୁଆର ଆଗରେ ଦେବଦମ୍ପତିଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ନଗର ପରିଭ୍ରମଣ ପରେ ଦ୍ୱିତୀୟ ଦିନର ଭବ୍ୟ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ରାଇକିଆ ପୂଜା କମିଟିର ସଭାପତି ସତ୍ୟବାନ ପାତ୍ର, ସଂପାଦକ ସନ୍ତୋଷ କୁମାର ଲେଙ୍କା ଏବଂ କମିଟିର ସମସ୍ତ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳିତ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ମହୋତ୍ସବର ସଫଳତା ପାଇଁ ପୂଜା କମିଟି ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଏହି ଆଧ୍ୟାତ୍ମିକ ଗଣପର୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିପୂତ୍ର ମାହୋଲ ସୃଷ୍ଟି ହୋଇଛି।


