ଅଶାନ୍ତ ଆମେରିକା, ୪୦ ସହରରେ କର୍ଫ୍ୟୁ
ଓ୍ବାସିଂଟନ : ଅଶାନ୍ତ ହେବାରେ ଲାଗିଛି ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକା। ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଜୀବନ ଯାଉଥିବାବେଳେ ଆମେରିକା ପାଇଁ ସମସ୍ୟା ଭାବେ ଉଭା ହୋଇଛି ଗୃହ ଯୁଦ୍ଧ। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି । ପୋଲିସ୍ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ଉଗ୍ରରୂପ ଧାରଣ କରିଛି । ଏହି ନିଆଁ ଏବେ ହ୍ବାଇଟ୍ ହାଉସ୍ ପାଖରେ ପହଞ୍ଚିଲାଣି । ରବିବାର ପଥରମାଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁରକ୍ଷିତ ବଙ୍କରରେ ନିଆଯାଇଛି । ହ୍ବାଇଟ୍ ହ୍ବାଉସ୍ ନିକଟରେ ପ୍ରବଳ ପ୍ରତିବାଦ କରାଯାଉଛି । ଦେଶରେ ଏହି ହିଂସା ସ୍ଥିତି ଯୋଗୁଁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍ ଡିସି ସମେତ ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆମେରିକାର ୪୦ଟି ସହରରେ କର୍ଫ୍ୟୁ ଜାରି ହୋଇଛି । ୧୫ଟି ପ୍ରୋଭିନ୍ସ ଓ ଓ୍ବାଶିଂଟନ୍ ଡିସିରେ ୫ ହଜାର ନ୍ୟାସନାଲ୍ ଗାର୍ଡ ମୁତୟନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିନ୍ନିଆପଲିସ୍ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁ ଘଟଣା ବିପକ୍ଷରେ ପ୍ରତିବାଦରେ ଆମେରିକା ଅଶାନ୍ତ ହୋଇପଡିଛି । ଫ୍ଲଏଡ୍ଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ୍ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଜାର ହଜାର ଲୋକେ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ତେବେ ଏହି ଘଟଣାରେ ୧୪୦୦ ଜଣ ପ୍ରଦର୍ଶନକରୀଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ମେ ୨୬ ତାରିଖରେ ମିନ୍ନିଆପଲିସ୍ରେ ଜର୍ଜ ଫ୍ଲୋଏଡ୍ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଧୋକ୍କାଧଡ୍ଡି ଅଭିଯୋଗରେ ଗିରଫ କରିଥିଲେ । ଜଣେ ଶ୍ବେତ ପୋଲିସ୍ ଅଫିସର୍ ସଡକ ଉପରେ ଫ୍ଲୋଏଡଙ୍କୁ ବେକକୁ ଆଠ ମିନିଟ୍ ଦକ ଦବାଇ ରଖିଥିବାବେଳେ ଏହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କିନ୍ତୁ ଏହି ଘଟଣା ପରେ ହିଂସା ଦେଖିବାକୁ ମିଳିଥିଲା ପରବର୍ତ୍ତୀ ସମୟରେ ଏହା ଅନ୍ୟ ସହରକୁ ବ୍ୟାପିବାରେ ଲାଗିଥିଲା । ହିଂସା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ପୋଲିସ୍ ଲୁହବୁହା ଗ୍ୟାସ୍ ଓ ଲାଠିଚାଳନା କରିଛି ।


