ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନା ଦ୍ବାରା ଚାଉଳ ବଣ୍ଟନରେ ବ୍ୟାପକ ଅନିୟମିତତା ନିର୍ବାକ ସାଜିଛି ବ୍ଲକ ଯୋଗାଣ ବିଭାଗ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଯୋଗାଣ ବିଭାଗ ଦ୍ବାରା ହୋଇଥିବା ବ୍ୟାପକ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି।ଏପରି ଅଭିଯୋଗ ଆଣିଛନ୍ତି ବ୍ଲକର ବାଗଡିଆଣି ଓ ବିରିକୋଟ ଗ୍ରାମ ପଞ୍ଚାୟତର ଅନେକ ଗ୍ରାମବାସୀ।ସମଗ୍ର ବିଶ୍ବରେ କରୋନା ଭୁତାଣୁ ମହାମାରୀର ରୁପ ନେଇସାରିଛି ।ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ଦୂରତା ସହ ଲକ୍ ଡାଉନ୍ ଭଳି ନିୟମ ଜାରିକରିଛନ୍ତି। ଏଭଳି ମହାବିପତ୍ତି ସମୟରେ ଦେଶର କୌଣସି ଲୋକ ଯେମିତି ଭୋକିଲା ନରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନାରୁ ତିନି ମାସର ଅଗ୍ରୀମ ଚାଉଳ ,ଡାଲି,କିରୋସିନ୍ ବଣ୍ଟନ ବ୍ୟବସ୍ଥା କରିଛନ୍ତି।ସରକାରଙ୍କ ନିର୍ଦ୍ଦେଶ କ୍ରମେ ତିନିମାସର ଦେୟମୁକ୍ତ ଚାଉଳ ବଣ୍ଟନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି।ଯେଉଁଥିରେ ସମସ୍ତ ଗରିବ ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ରହିଥିବା ଘୋଷଣା କରିଛନ୍ତି ସରକାର।କିନ୍ତୁ ପରିତାପର ବିଷୟ ସରକାରଙ୍କ ଦେୟମୁକ୍ତ ଯେଉଁ ଚାଉଳ ଗରିବ ଲୋକଙ୍କ ପାଇଁ ଆସିଛି ତାହା ବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି।ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବ୍ଲକର ବିରିକୋଟ ଓ ବାଗଡିଆଣି ଗ୍ରାମ ପଞ୍ଚାୟତରେ।ଏହି ଦୁଇ ପଞ୍ଚାୟତର ଅନେକ ଗାଁର ଗରିବ ହିତାଧିକାରୀ ଏହି ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି।ବିରିକୋଟ ପଞ୍ଚାୟତର ବଲଙ୍ଗି,ଗୋଦ୍ରାମସ୍କା ଓ ସୁକସାନ୍ ବୋଡେସ୍,ସେହିପରି ବାଗଡିଆଣି ପଞ୍ଚାୟତର କମରାଘାଟ, ବାଗଡିଆଣି ଓ ଲାଠିଆଗୁଡା ଗ୍ରାମର ଲୋକେ ଏହି ଚାଉଳ ଆସି ମାସେ ହେବାକୁ ବସିଲାଣି ଆଜି ପର୍ଯ୍ୟନ୍ତ ବଣ୍ଟନ ନହେବା ସମସ୍ତଙ୍କୁ ଅନେକ ସନ୍ଦେହ ଘେରକୁ ନେଇ ଆସିଛି।ଚାଉଳ ବଣ୍ଟନରେ ବିଳମ୍ବତା ଦେଖି ଲୋକେ ବ୍ଲକ ପ୍ରଶାସନ ପାଖରେ ଜଣାଇଥିଲେ।ପରେ ସେହି ପଞ୍ଚାୟତ ଦାୟିତ୍ୱରେ ଥିବା ଯୋଗାଣ ସହାୟକ ଙ୍କ ସହ ଯୋଗାଯୋଗ କରିଥିଲେ ବ୍ଲକ ଯୋଗାଣ ଅଧିକାରୀ ଓ ଶିଘ୍ର ବଣ୍ଟନ କରାଯିବା ନେଇ ନିର୍ଦ୍ଦେଶ ଦେଇଥିଲେ।ଏହି ପଞ୍ଚାୟତ ପାଇଁ ପୂର୍ବ ନିର୍ଦ୍ଧାରିତ ହିସାବରେ ଆସିଥିବା ଚାଉଳରୁ ଅର୍ଦ୍ଧେକ ଚାଉଳ ଉଭାନ ହୋଇଥିବା ଅଭିଯୋଗ କରିଛନ୍ତି ଏହି ପଞ୍ଚାୟତର ଗ୍ରାମବାସୀମାନେ।ସମ୍ପୃକ୍ତ ଯୋଗାଣ ସହାୟକ ଲୁକ୍କାୟିତରେ ଚାଉଳ ଦେବାନେଇ ଅନେକ ଲୋକଙ୍କ ଠାରୁ ଟଙ୍କା ମାଗିଥିଲେ ଏବଂ ସେ ଆସିଥିବା ଏହି ଚାଉଳରୁ ସେମାନଙ୍କୁ ଲୋକଙ୍କ ଅଜାଣତରେ ବଣ୍ଟନ କରିଥିବା କହିଛନ୍ତି ଗ୍ରାମବାସୀମାନେ।ଚାଉଳ ହେର୍ ଫେର୍ ବିଷୟ ନେଇ ମାସେ ହେବ କିନ୍ତୁ ବ୍ଲକ ଯୋଗାଣ ବିଭାଗ ପାଖରେ ଖବର୍ ଥାଇ ମଧ୍ୟ ନିରବ ରହିବା ଲୋକଙ୍କ ସନ୍ଦେହକୁ ଅଧିକ ଦୃଢିତ କରିଛି।ଗରିବ ହିତାଧିକାରୀଙ୍କ ପାଇଁ ଆସିଥିବା ଏହି ଦେୟମୁକ୍ତ ଚାଉଳ ଗଲା କୁଆଡେ ଏ ହେଉଛି ସବୁଠାରୁ ବଡ ପ୍ରଶ୍ନ ।ଏଠାରେ ସୂଚନାଯୋଗ୍ୟ ଯେ ବଡଛତ୍ରଙ୍ଗ, ବାଗଡିଆଣି ଓ ବିରିକୋଟ ପଞ୍ଚାୟତ ପାଇଁ ଆସିଥିଲା ଆବଶ୍ୟକୀୟ ୯୩୩ କ୍ବିଣ୍ଟାଲ ଚାଉଳ।
ବଡଛତ୍ରଙ୍ଗ ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କୁ ବଣ୍ଟନ ପରେ ବିରିକୋଟ ଓ ବାଗଡିଆଣି ପଞ୍ଚାୟତ ପାଇଁ ଆବଶ୍ୟକୀୟ ଚାଉଳ ନିଅଣ୍ଟ ହେବା ଏକ ବଡ ଦୁର୍ନୀତିର ଗନ୍ଧ ଆଡକୁ ନିର୍ଦ୍ଦେଶ କରୁଛି।ଏହାର ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ