ଓପେକ ମହାସଚିବଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା
ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଓପେକ ମହାସଚିବ ଡଃ ମହମ୍ମଦ ବାର୍କିଣ୍ଡୋଙ୍କ ସହ ଆଲୋଚନା କରିଛନ୍ତି । କରୋନା ବୈଶ୍ଵିକ ମହାମାରୀ ପରିସ୍ଥିତିରେ ବିଶ୍ଵ ତୈଳ ବଜାରରେ ଅଶୋଧିତ ତୈଳକୁ ନେଇ ଯେଉଁ ପରିସ୍ଥିତି ଉପୁଜିଛି ମୁଖ୍ୟତଃ ତା’ଉପରେ ଆଲୋଚନା କେନ୍ଦ୍ରିତ ହୋଇଥିଲା । ବିଶ୍ଵରେ ଯେଉଁ ଆର୍ଥିକ ପରିସ୍ଥିତି ଦେଖାଦେଇଛି ତାହାକୁ ସୁଧାରିବା ଲାଗି ତୈଳ ଉତ୍ପାଦନକାରୀ ଓ ଆମଦାନିକାରୀ ଦେଶ ଯେପରି ଦାୟିତ୍ଵ ସମ୍ପନ୍ନ ଭାବେ କାର୍ଯ୍ୟ କରିବେ ତାହା ଉପରେ ଗୁରୁତ୍ଵାରୋପ କରିଛନ୍ତି । ଆର୍ଥିକ ପରିସ୍ଥିତି କ୍ରମଶଃ ସୁଧୁରିବାର ସମ୍ଭାବନା ଥିବାରୁ ତୈଳ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଘଟିବ । ତେବେ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ଵୟ ରଖିବା ଲାଗି କହିଛନ୍ତି । ଓପେକ ତୈଳ ବଜାରରେ ସ୍ଥିରତା ରଖିବା ପାଇଁ ସେ ନିବେଦନ କରିବା ସହ ଭାରତ ତଥା ବିଶ୍ଵର ଅନ୍ୟାନ୍ୟ ରାଷ୍ଟ୍ର ତୈଳ ନିରାପତ୍ତା ଲାଗି ବର୍ତ୍ତମାନର ଆହ୍ଵାନମୂଳକ ପରିସ୍ଥିତିରେ ଓପେକ ସହିତ ସମନ୍ଵୟ ରଖିବା ଆବଶ୍ୟକ ବୋଲି କହିଛନ୍ତି । ୨୦୨୧ ଜୁନ ୧୬ ଏବଂ ୧୭ ତାରିଖ ଦିନ ଭିଏନାରେ ହେବାକୁ ଥିବା 8ମ ଆନ୍ତର୍ଜାତିକ ଓପେକ ସେମିନାରରେ ଯୋଗଦେବାକୁ ଡଃ ବାର୍କିଣ୍ଡୋ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ଜୁଲାଇ ମାସ ଡିଭିସି ଜରିଆରେ ଭାରତ ଓ ଓପେକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଉଭୟେ ରାଜି ହୋଇଛନ୍ତି । ଦେଶର ଆର୍ଥିକ କାର୍ଯ୍ୟକଳାପ ସ୍ଵାଭାବିକ କରିବାକୁ ପ୍ରୟାସ କରିବା ସହ ବୈଶ୍ଵିକ ମହାମାରୀର ସଫଳ ପରିଚାଳନା ପାଇଁ ଡଃ ବାର୍କିଣ୍ଡୋ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


