ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଐତିହାସିକ ସଂଶୋଧନକୁ ସ୍ୱାଗତ

ଭୁବନେଶ୍ୱର : ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହା କୃଷି କ୍ଷେତ୍ର ସମେତ ଦେଶର ଖାଦ୍ୟସାମଗ୍ରୀ ବିପଣନ ତଥା ବିତରଣ କ୍ଷେତ୍ରରେ ବ୍ୟାପକ ସୁଧାର ଆଣିପାରିବ ବୋଲି ଅଂଶୀଦାରମାନେ ମତପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲା ପାଖର ପଂଚାୟତର ସରପଂଚ ତ୍ରିଲୋଚନ ପାଣିଗ୍ରାହୀ ମତପ୍ରକାଶ କରିଛନ୍ତି ଯେ, ଆଳୁ, ଡାଲି ଜାତୀୟ ଫସଲ ଉପରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉଚ୍ଛେଦ କରିବା ଲାଗି ଗତକାଲି କେନ୍ଦ୍ର ସରକାର ଯେଉଁ ଐତିହାସିକ ନିଷ୍ପତି ନେଇଛନ୍ତି ତାହାଦ୍ୱାରା କୃଷକମାନେ ନିଜ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବେ ଏବଂ ଅଧିକ ସାମଗ୍ରୀ ଉତ୍ପାଦନ ପ୍ରତି ସେମାନଙ୍କର ଆଗ୍ରହ ବଢ଼ିବ । କୃଷି କ୍ଷେତ୍ରରେ ଅଧିକ କୃଷକମାନଙ୍କର ସମ୍ପୃକ୍ତି ବଢ଼ିବ । ଏଭଳି ଐତିହାସିକ ନିଷ୍ପତି ପାଇଁ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯାଇଛି । ଫଳରେ ଉତ୍ପାଦନ, ଭଣ୍ଡାରଣ, ଲୋଡିଂ, ବିତରଣ ଏବଂ ଯୋଗାଣ କରିବାର ସ୍ୱାଧୀନତା ମିଳିବ । ଯାହା ଉତ୍ପାଦନ ବୃଦ୍ଧି କରିବା ସହିତ କୃଷି କ୍ଷେତ୍ରକୁ ଘରୋଇ/ପ୍ରତ୍ୟକ୍ଷ ନିବେଶ ଆକୃଷ୍ଟ ହେବ । ଶୀତଳ ଭଣ୍ଡାରରେ ନିବେଶ ବଢ଼ିବା ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣରେ ସହାୟତା ମିଳିପାରିବ । ଏହା କୃଷି କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ଆଣିବା ଏବଂ କୃଷକମାନଙ୍କ ଆୟ ବଢ଼ାଇବା ଦିଗରେ କେନ୍ଦ୍ର ସରକାରଙ୍କର ଏକ ଦୂରଦର୍ଶୀ ପଦକ୍ଷେପ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଅଧିକାଂଶ କୃଷିଜାତ ସାମଗ୍ରୀ ଉତ୍ପାଦନରେ ବଳକା ସ୍ଥିତିରେ ରହିଛି, ମାତ୍ର ଶୀତଳ ଭଣ୍ଡାର, ପଣ୍ୟାଗାର, ପ୍ରକ୍ରିୟାକରଣ ଏବଂ ରପ୍ତାନିରେ କମ ନିବେଶ କାରଣରୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସକ୍ଷମ ହେଉନାହାନ୍ତି । ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅଙ୍କୁଶ ସେମାନଙ୍କ ଉଦ୍ୟମଶୀଳତା ଭାବନାକୁ ହତୋତ୍ସାହିତ କରୁଛି । ଏଭଳି ସ୍ଥିତିରେ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦ ଅଧିକ ପରିମାଣରେ ଅମଳ ହେଲେ, କୃଷକମାନଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡ଼ିଥାଏ । ପର୍ଯ୍ୟାପ୍ତ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ ହେଲେ ଏଭଳି କ୍ଷତିକୁ ବ୍ୟାପକ ପରିମାଣରେ ରୋକାଯାଇପାରିବ । ଏସବୁ ଲାଭକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି । ଅନ୍ୟପକ୍ଷରେ ସରକାର ନିୟାମକ ବ୍ୟବସ୍ଥାକୁ ଉଦାର କରିବା ଫଳରେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ମଧ୍ୟ ସୁନିଶ୍ଚିତ ହେବ । ସଂଶୋଧନ ଅନ୍ତର୍ଗତ ଏପରି ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ମରୁଡ଼ି, ଯୁଦ୍ଧ, ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଏଭଳି କୃଷି ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯାଇପାରିବ । ତେବେ ମୂଲ୍ୟ ଶୃଙ୍ଖଳ ବା ଭ୍ୟାଲ୍ୟୁ ଚେନର କୌଣସି ଅଂଶୀଦାରଙ୍କ ପ୍ରତିଷ୍ଠିତ କ୍ଷମତା ଏବଂ କୌଣସି ରପ୍ତାନିକାରୀଙ୍କ ରପ୍ତାନି ଚାହିଦା ଏଭଳି ଷ୍ଟକ ସୀମା ଲାଗୁ ବ୍ୟବସ୍ଥାରୁ ମୁକ୍ତ ରହିବେ । ଏହି ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରରେ ନିବେଶ ହତୋତ୍ସାହିତ ହେବ ନାହିଁ । ଘୋଷିତ ସଂଶୋଧନ ମୂଲ୍ୟ ଲାଗୁ ହେବା ଦ୍ୱାରା କୃଷକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଲାଭଦାୟୀ ହେବ । ଏଥିସହିତ ଭଣ୍ଡାରଣ ସୁବିଧା ଅଭାବ କାରଣରୁ ହେଉଥିବା କୃଷିଜାତ ସାମଗ୍ରୀ ନଷ୍ଟକୁ ମଧ୍ୟ ରୋକାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ