ପିଣ୍ଡିକି କ୍ୱାରେଣ୍ଟାଇନ୍ ପ୍ରବାସୀଙ୍କୁ ମିଳିଲାନି ଖାଦ୍ୟ, ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଖାଇବାକୁ ଦେଲେ ବିଡ଼ିଓ

ମୋହନା, (ଅଂଶୁମାନ ପଣ୍ଡା): ସାରା ଦେଶରେ ଏବେ କରୋନା ପ୍ରଭାବରେ ଓଡ଼ିଆ ପ୍ରବାସୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିବା ଯୋଗୁଁ ସେମାନଙ୍କୁ ଓଡ଼ିଶା ରାଜ୍ୟ ସରକାର ନିଜ ରାଜ୍ୟକୁ ଆଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ କ୍ୱାରେଣ୍ଟାଇନ ଗୃହରେ ରଖିଛନ୍ତି । ହେଲେ କେତେକ ଅସାଧୁ କର୍ମଚାରୀଙ୍କ ଯୋଗୁଁ କ୍ୱାରେଣ୍ଟାଇନ୍ ଗୃହରେ ଥିବା ଏହି ପ୍ରବାସୀ ବିଭିନ୍ନ ସମସ୍ୟାରେ କ୍ୱାରେଣ୍ଟାଇନ ଗୃହରେ ରହିବାକୁ ବାଧ୍ୟ ହେଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ପିଣ୍ଡିକି ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟାଇନ୍ ଗୃହର ଥିବା ୧୪ ଜଣ ପ୍ରବାସୀଙ୍କୁ ଖାଇବାକୁ ଦିଆଯାଉନଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଆଜି ଉକ୍ତ କ୍ୱାରେଣ୍ଟାଇନ୍ ଗୃହରେ ଥିବା ପ୍ରବାସୀଙ୍କୁ ଖାଦ୍ୟ ନମିଳିବା ଯୋଗୁଁ ସେମାନେ ଉକ୍ତ ରାସ୍ତା ଦେଇ ଯାଉଥିବା ଗଜପତି ଏସ୍‌ପି ସାରାଶର୍ମାକୁ ବଡ଼ପାଟି କରି ଅଟକାଇବା ସହ ନିଜର ସମସ୍ୟା ବିଷୟରେ ଓ କିପରି ପିଓ ପ୍ରଭାକର ପ୍ରଧାନ ନିମ୍ନମାନର ଖାଦ୍ୟ ଯୋଗାଇବା ସହ ପ୍ରବାସୀଙ୍କ ପାଇଁ ଆସୁଥିବା ଅର୍ଥକୁ କିପରି ହରିଲୁଟ୍ କରୁଛନ୍ତି ସେ ବିଷୟରେ ଏସ୍‌ପିଙ୍କୁ ଜଣାଇଥିଲେ । ପରେ ପ୍ରଥମେ ଏସ୍‌ପି ସାରା ଶର୍ମା ଭୋକରେ ଥିବା ପ୍ରବାସୀଙ୍କୁ ଖାଇବାକୁ ଦେବାପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେବା ପରେ ବିଡ଼ିଓ ନିଜେ ପ୍ରବାସୀଙ୍କୁ ଖାଇବାକୁ ଦେଇଥିଲେ । ସେହିପରି ସେଠାରେ ପାନୀୟ ଜଳର ମଧ୍ୟ ଘୋର ଅସୁବିଧା ଥିବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ । ସେପଟେ ପ୍ରବାସୀଙ୍କ ପାଇଁ ଆସୁଥିବା ଅର୍ଥକୁ ପିଓ ପ୍ରଭାକର ପ୍ରଧାନ ହଡ଼ପ କରୁଥିବା ଯୋଗୁଁ ପ୍ରବାସୀମାନଙ୍କ କ୍ଷେତ୍ରରେ ଉକ୍ତ ଅର୍ଥ ବିନିଯୋଗ ହୋଇନପାରି ସେମାନେ ଦୟନୀୟ ଅବସ୍ଥାରେ କ୍ୱାରେଣ୍ଟାଇନ୍ ଗୃହରେ ରହୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଧାର୍ଯ୍ୟ ହୋଇଥିବା ଖାଦ୍ୟ ମେନୁ ଅନୁସାରେ ଉକ୍ତ ପ୍ରବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉନାହିଁ ବୋଲି ଖୋଦ୍ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ଏହାର ତୁରନ୍ତ ତଦନ୍ତ କରି ଅର୍ଥ ଲୁଟ୍ କରୁଥିବା ପିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପିଣ୍ଡିକି ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଥିବା ପ୍ରବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ