ନୂତନ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଲେ ଜବ୍‌କାର୍ଡଧାରୀ, କାର୍ଯ୍ୟ ଦିବସ ବୃଦ୍ଧି କରିବାକୁ ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି): କରୋନା ଲକ୍ ଡାଉନ୍ ବନ୍ତ ବ୍ଲକର ସମସ୍ତ ଦିନମଜୁରିଆ, ଶ୍ରମିକ ଓ ପ୍ରବାସୀ ଓଡିଆ ମାନଙ୍କ ସୁଖ ଛଡାଇ ନେଇଛି । ଦୈନନ୍ଦିନ ମୂଲମଜୁରୀ ଲାଗି ପରିବାର ଚଳାଉଥିବା ଶ୍ରମିକ ଏବେ ଭୋକ ଉପାସରେ ବାରଦୁଆର ବୁଲୁଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଞ୍ଚାୟତକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟ ଯୋଗାଇ ଦେଇଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ତରାଗୋ ଆର୍‌.ଡି.ରାସ୍ତା ଠାରୁ ଅଁଳାଶୁଣୀ ପର୍ଯ୍ୟନ୍ତ ପ୍ରାୟ ୨କିମି ଦୈର୍ଘ୍ୟ ବିଶିଷ୍ଟ ଏକ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ଥିବା ବେଳେ ତାହା ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଛି । ସରପଞ୍ଚ ତିଳୋତ୍ତମା ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦୈନନ୍ଦିନ ପ୍ରାୟ ଦେଢ ଶହରୁ ଦୁଇ ଶହ ଜବ୍‌କାର୍ଡଧାରୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ନାୟକ, ଜିଆରଏସ୍ ପ୍ରସନ୍ନ ଦତ୍ତ ଓ ଗ୍ରାମସାଥୀ ବ୍ରଜ ମୋହନ ଦାସ ଏହି କାର୍ଯ୍ୟକୁ ତଦାରଖ କରୁଛନ୍ତି । ସରକାରୀ ନିୟମ ଅନୁଯାୟୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଜୁନ୍ ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୧୧ ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଅପରପକ୍ଷେ ଲକ୍ ଡାଉନ୍ ସମୟରେ ରୋଜଗାର ହରାଇ ଘରେ ବସିଥିବା ଶ୍ରମିକ ମାନେ କାର୍ଯ୍ୟ ପାଇବାରୁ ବଂଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ତେବେ ଜିଲ୍ଲା ପ୍ରଶାସନ ମନରେଗା କାର୍ଯ୍ୟକୁ ଆଉ କିଛି ଦିନ ବୃଦ୍ଧି କରାଇଥିଲେ ଭୋକ ଉପାସରେ କାଳାତିପାତ କରୁଥିବା ଶ୍ରମିକ ମାନେ ଉପକୃତ ହୋଇପାରନ୍ତେ ବୋଲି ଶ୍ରମିକ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ