ପୃଥିବୀକୁ ନୂଆ ବିପଦ : ମଣିଷ ଖିଆ ପୋକ
ମସ୍କୋ : କରୋନା ଭାଇରସ୍କୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ ଥିବାବେଳେ ଏବେ ପୁଣି ଏକ ନୂଆ ବିପଦ ମୁଣ୍ଡ ଟେକିଛି । ଏହା କିନ୍ତୁ କୌଣସି ଭାଇରସ୍ ନୁହେଁ, ବରଂ ଏକ ପୋକ । ଏହି ପୋକ ସମ୍ପ୍ରତି ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଏ ପୋକ ଏମିତି ସେମିତି ପୋକ ନୁହେଁ । ମଣିଷ ରକ୍ତ ଖିଆ ପୋକ । ବୁଢ଼ିଆଣି ପ୍ରଜାତିର ଅସରପା ଭଳି ଦେଖା ଯାଉଥିବା ଏହି ପୋକ ଋଷରେ ଆତଙ୍କ ମଚାଇଛି । ଏହି ପୋକ କୌଣସି କୀଟ ପତଙ୍ଗ ଖାଇ ନ ଥାନ୍ତି । ଏମାନେ ଖାଇଥାନ୍ତି କେବଳ ମଣିଷ ରକ୍ତ । ମଣିଷ ରକ୍ତରେ ବଞ୍ଚୁଥିବା ଏହି ପୋକ ଋଷରେ ସୃଷ୍ଟି କରିଛି ତାଣ୍ଡବ । ହଜାର ହଜାର ସଂଖ୍ୟାରେ ଲୋକେ ଏବେ ଏହି ପୋକ କାମୁଡ଼ାରେ ଆକ୍ରାନ୍ତ ହୋଇ ମେଡିକାଲରେ । ଦେଶରେ ରୋଗୀ ସଂଖ୍ୟା ଏପରି ବଢ଼ିଛି ଯେ ଏହାର ପ୍ରତିଷେଧକ ଔଷଧ ଦେଶରେ ଅଭାବ ଦେଖାଦେଇଛି । ରୋଗୀଙ୍କ ପାଇଁ ମେଡିକାଲରେ ଥିବା ସିଟ୍ର ବି ଅଭାବ ପଡ଼ିଛି । ଏକ ପକ୍ଷରେ କରୋନା ମହାମାରୀର ସାମ୍ନା କରୁଥିବା ଋଷ ଏହି ରକ୍ତଖିଆ ପୋକଙ୍କ ପାଇଁ ବଡ଼ ଚିନ୍ତାରେ । ଋଷର ସରକାରୀ ଆକଳନ ଅନୁଯାୟୀ ଏହି ପୋକଙ୍କ ସଂଖ୍ୟା ୪୨୮ ଗୁଣା ବୃଦ୍ଧିପାଇଛି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମିଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।


