ଗାଡି କାଗଜ ପ୍ରମାଣପତ୍ରର ବୈଧତା ଅବଧି ବୃଦ୍ଧି

ନୂଆଦିଲ୍ଲୀ : ମୋଟର ଯାନ ଦସ୍ତାବିଜ (ଡକ୍ୟୁମେଂଟ)ର ବୈଧତାକୁ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପୁଣିଥରେ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କରୀ । ଏ ସଂକ୍ରାନ୍ତରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିପୂର୍ବରୁ ୩୧ ମେ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଗାଡ଼ି କାଗଜପତ୍ର ଯେପରିକି ଫିଟନେସ, ପରମିଟ (ସମସ୍ତ ପ୍ରକାର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ଆଦିର ବୈଧତାକୁ ପ୍ରବର୍ତନ ଉଦ୍ଦେଶ୍ୟ ଲାଗି ସମ୍ପ୍ରସାରିତ କରାଯାଇଥିଲା । ଏସବୁ କାଗଜପତ୍ରର ବୈଧତା ଅବଧି ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରବର୍ତନ କର୍ତୃପକ୍ଷଙ୍କୁ ସୂଚୀତ କରାଯାଇଥଲା । ଫେବୃଆରୀ ପହିଲା, ୨୦୨୦ ପରଠାରୁ କିମ୍ବା ୩୧ ମେ ୨୦୨୦ ପର୍ଯ୍ୟନ୍ତ ବୈଧତା ସମାପ୍ତି ହେଉଥିବା ସମସ୍ତ ଗାଡ଼ି ଦସ୍ତାବିଜର ନବୀକରଣ ଲକଡାଉନ କାରଣରୁ ହୋଇପାରିନଥିଲେ ସେଗୁଡ଼ିକୁ ଅବଧି ବୃଦ୍ଧି ସୁବିଧା ପ୍ରଦାନ କରାଯାଇଥିଲା । ତେବେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଏ ସଂକ୍ରାନ୍ତରେ ହସ୍ତଗତ ଅନୁରୋଧକୁ ବିଚାର କରି ସମସ୍ତ ଗାଡ଼ି କାଗଜପତ୍ରର ବୈଧତା ଅବଧିକୁ ପୁଣିଥରେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇବା ଲାଗି ମନ୍ତ୍ରୀ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପ୍ରବର୍ତନ ଉଦ୍ଦେଶ୍ୟ ଲାଗି ଏସବୁ କାଗଜପତ୍ରର ବୈଧତା ଅବଧି ଅଛି ବୋଲି ବିବେଚନା କରାଯିବ । ଏହାଛଡ଼ା କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୩୨ କିମ୍ବା ନିୟମ ୮୧ ଅନୁଯାୟୀ ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଶୁଳ୍କ ବୈଧତା ଏବଂ ଅତିରିକ୍ତ ଶୁଳ୍କ ଲାଗୁ କରିବା କ୍ଷେତ୍ରରେ ରିହାତି ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ୨୧ ମେ, ୨୦୨୦ରେ ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । କୋଭିଡ-୧୯ ନିରାକରଣ ସ୍ଥିତିକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ସୁବିଧା ଦେବା ସକାଶେ ଏହି ନିଷ୍ପତି ନିଆଯାଇଛି । କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଟର ଯାନ ଆଇନ ୧୯୮୮ କିମ୍ବା ସେପରି କିଛି ବିଧିବ୍ୟବସ୍ଥା ଅନ୍ତର୍ଗତ ପରମିଟ, ଶୁଳ୍କ, ନବୀକରଣ ଟିକସ, ପରମିଟ ପାଇଁ ଜୋରିମାନା ଆଦି କ୍ଷେତ୍ରରେ ରିହାତି ଯୋଗାଇ ଦେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କର୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ