ଟିଏମ୍ସିକୁ ଜାତୀୟ ଦଳ ମାନ୍ୟତା
ନୂଆଦିଲ୍ଲୀ(ଏଜେନ୍ସି): ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିଜ ନିୟମରେ କେତେକ ପରିବର୍ତ୍ତନ କରିଛନ୍ତି । ଏହି ନୂତନ ନିୟମ ଅନ୍ତର୍ଗତ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଆଜି ଜାତୀୟ ଦଳର ମାନ୍ୟତା ମିଳିଛି । ତେବେ ଚଳିତ ନିର୍ବାଚନରେ ଟିଏମ୍ସିକୁ ମିଶାଇ ମୋଟ୍ ୭ଟି ଜାତୀୟ ଦଳ ଚଳିତ ନିର୍ବାଚନରେ ଭାଗ ନେବେ । ଯଦି ନିର୍ବାଚନ ଆୟୋଗ ନିୟମରେ ପରିବର୍ତ୍ତନ କରିନଥାନ୍ତେ ତାହେଲେ ବହୁଜନ ସମାଜ ପାର୍ଟି ସମେତ ୩ଟି ଦଳ ସେମାନଙ୍କ ରାଷ୍ଟ୍ରୀୟ ଦଳର ମାନ୍ୟତା ହରାଇଥାନ୍ତେ ବୋଲି ଜଣାପଡିଛି ।
ଟିଏମ୍ସି ପଶ୍ଚିମବଙ୍ଗ ସମେତ ଅନ୍ୟ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିବାରୁ ଦଳକୁ ଜାତୀୟ ଦଳର ମାନ୍ୟତା ମିଳିବା ସମ୍ଭବ ହୋଇପାରିଛି । ଫଳରେ ଜାତୀୟ ଦଳ ତାଲିକାରେ ପୂର୍ବରୁ ରହିଆସିଥିବା ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସ୍ପି), ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍ସିପି)ଙ୍କ ସହ ଏବେ ତୃଣମୂଳ କଂଗ୍ରେସ ମଧ୍ୟ ସାମିଲ ହୋଇଯାଇଛି । ପ୍ରକାଶଥାଉ କି, ନିର୍ବାଚନ ଆୟୋଗଙ୍କ ନିୟମ ଅନୁୂସାରେ ନିର୍ବାଚନୀ ପ୍ରଚାର ବେଳେ ଜାତୀୟ ଦଳ ସର୍ବାଧିକ ୪ଠ ଜଣ ତାରକା ପ୍ରଚାରକଙ୍କୁ ନିଯୁକ୍ତ କରିପାରିବାର ସୁବିଧା ରହିଥିବା ବେଳେ ରାଜ୍ୟସ୍ତରୀୟ ଆଞ୍ଚଳିକ ଦଳଗୁଡ଼ିକ ସର୍ବାଧିକ ୨ଠ ଜଣ ତାରକା ପ୍ରଚାରକ ରଖିପାରିବାର ପ୍ରାବଧାନ ରହିଛି ।