ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ମୌସୁମୀ ଓଡ଼ିଶା ଛୁଇଁଛି । ରାଜ୍ୟର ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରିରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାଛଡ଼ା ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସମ୍ପ୍ରତି ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅନ୍ତର୍ଗତ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହାସହ ରହିଥିବା ବାତ୍ୟାଚକ୍ର ସମୁଦ୍ର ପତ୍ତନ ଠାରୁ ୭. ୬ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିବା କହିଛି ପାଣିପାଗ ବିଭାଗ।
ମୌସୁମୀ ପ୍ରଭାବରେ ରାଜ୍ୟରେ ଆସନ୍ତା ଦୁଇଦିନ ଧରି ବର୍ଷା ଜାରି ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଆରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ବର୍ଷା କମ୍‌ ହେବ। ହେଲେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଠାରେ ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖରେ ମଧ୍ୟ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ