କରୋନା ତାତିରେ ମାତିଲେ ଲୁଟେରା: ଦିନ ଦିପ୍ରହରରେ ମାଡ଼ ମାରି ଲୁଟ

ହିଞ୍ଜିଳିକାଟୁ, (ଓ୍ୱାଇଏନଏସ) :ଏପଟେ କରୋନା ତାତି, ସେପଟେ ପେଟ ପାଟଣା ଚିନ୍ତା ସମସ୍ତଙ୍କୁ ଘାରିଛି। ଅଞ୍ଚଳରେ ଲକ ଡାଉନ ଓ ସଟ ଡାଉନ ସ୍ଥିତି ବଳବତ୍ତର ରହିଛି। ପରିବାର ଚଳାଇବା ଉଦ୍ଦେଶ୍ୟରେ ବେରୋଜଗାର ଥିବା ଗ୍ରାମାଞ୍ଚଳର କିଛି ଛୋଟମୋଟ ନିରୀହ ବୁଲା ବେପାରୀଙ୍କ ଉପରେ ଏବେ ଲୁଟେରା ଗ୍ୟାଙ୍ଗର ନଜର ପଡିଛି।ସ୍ପଷ୍ଠ ଦିବଲୋକରେ ଲୁଟେରା ଗ୍ୟାଙ୍ଗ ୨ ଜଣଙ୍କୁ ଛୁରୀ ଦେଖାଇ ମାଡ଼ ମାରିବା ସହ ସେମାନଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଓ ମୋବାଇଲ ଛଡାଇ ନେଇ ନିମିଷକ ମଧ୍ୟରେ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏଭଳି ଏକ ଲୁଟ ଘଟଣା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିଥାନା ଅଞ୍ଚଳରେ ବୁଧବାର ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବଗାଁର ସୁବାସ ବେହେରା ଗାଁରେ କିଛିମାଛ ବିକ୍ରୀ କରି ଅବଶିଷ୍ଟ ମାଛକୁ ବିକିବା ନିମନ୍ତେ ନିକଟସ୍ଥ ସାରୁ ଗ୍ରାମକୁ ଏକ୍ସିଲ ଯୋଗେ ଯାଉଥିଲେ।ବିପରୀତ ଦିଗରୁ ୩ ଟି ବାଇକରେ ମୁହଁରେ ମାସ୍କ ପିନ୍ଧିଥିବା ୬ଜଣ ଯୁବକ ଆର ଡ଼ି ରାସ୍ତାରେ ତାଙ୍କୁ ଅଟକାଇ ହଠାତ ସ୍ପ୍ରୀଂ ଛୁରୀ ବାହାର କରି ତାଙ୍କ ବେକରେ ଲଗାଇ ଭୟଭୀତ କରିଥିଲେ। ଅନ୍ୟ ଜଣେ ଯୁବକ ଆଉ ଏକ ଛୁରୀ ଦେଖାଇ ଟଙ୍କା ମାଗିଥିଲେ।ପରେ ଦୁର୍ବୃତ୍ତ ମାନେ ତାଙ୍କ ୨ ହାତକୁ ଭିଡି ଧରି ପିଟା ପିଟି କରିବା ସହ ସାର୍ଟ ଖୋଲି ପକେଟରେ ଥିବା ୩୫୦୦ ବିକ୍ରି ଟଙ୍କା,ମୋବାଇଲ ଓ ଗାଡିର କାଗଜପତ୍ର ନେଇ ଆମ୍ବ ଗାଁ ଆଡକୁ ଛୁଟିଥିଲେ।ସେଠାରୁ ଦୁର୍ବୃତ୍ତ ମାନେ ରାଳବ-ଶାସନ ଆମ୍ବ ଗାଁ ରାସ୍ତାର ପିଲି ନାଳ ନିକଟରେ ଶାସନ ଆମ୍ବ ଗାଁ ର ବୁଡୁ ପଟ୍ଟନାୟକଙ୍କୁ ଅଟକାଇ ସେ ବ୍ୟାଙ୍କରୁ ଆଣିଥିବା ୨୫୦୦ ଟଙ୍କା ଓ ମୋବାଇଲ ଲୁଟି ନେଇ ରାଳବ ରାସ୍ତାରେ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତ ମାନେ ଦିନ ଦିପ୍ରହରରେ ପୃଥକ ସ୍ଥାନରେ ଲୁଟ ତରାଜ ଚଳାଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି। ସେମାନେ ଲୁଟ ସମୟରେ ପଲସର, ଗ୍ଲେମର ଓ ହୋଣ୍ଡା ଆଦି କମ୍ପାନୀର ୩ଟି ବାଇକ ବ୍ୟବହୃତ କରିଥିବା ବେଳେ ଗାଡି ଗୁଡିକର ନମ୍ବର ପ୍ଲେଟ କନାରେ ଆଚ୍ଛାଦିତ ହୋଇଥିବା ଯୋଗୁଁ ପୀଡିତ ମାନେ ଠଉରାଇ ପାରି ନାହାନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଆତଙ୍କ ର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଫଳରେ ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ