ପୁଣି ୫୪ ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ କୋରୋନା
ଭୁବନେଶ୍ବର: କୋରୋନା ଯୁଦ୍ଧରେ ସମ୍ମୁଖରେ ରହି କାର୍ଯ୍ୟକରୁଥିବା କୋରୋନା ଯୋଦ୍ଧା କୋରୋନା ସଂକ୍ରମଣରୁ ବର୍ତ୍ତିପାରୁ ନାହାନ୍ତି। ନିକଟରେ ଅମ୍ପନ୍ ବାତ୍ୟା ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଯବାନମାନେ କୋରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନେ ସମସ୍ତେ ବାତ୍ୟା ‘ଅମ୍ପନ୍’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ଯାଇଥିବା ଯବାନମାନଙ୍କ ମଧ୍ୟରୁ ୧୧୫ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ୬୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୁରୁବାର ଆଉ ୫୪ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଅମ୍ପନ୍ରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ଉଦ୍ଧାର କାର୍ଯ୍ୟ କରିବାକୁ ଯାଇଥିବା ଏନ୍ଡିଆରଏଫ୍ ଟିମ୍ର ଜଣେ ଯବାନ କୋରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। କଟକ ମୁଣ୍ଡଳୀସ୍ଥିତ ଏନ୍ଡିଆର୍ଏଫ୍ର ଜଣେ ଯବାନ କୋରୋନାରେ ସଂକ୍ରମିତ ହେବା ଜଣାପଡ଼ିବା ପରେ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଏହାପରେ ଆଉ ୪୯ ଜଣ ଯବାନଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ସେହିପରି ପଶ୍ଚିମବଙ୍ଗ ଯାଇଥିବା ୩୭୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଆଜି ରାଜ୍ୟରୁ ୧୩୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୪ ଜଣ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମଚାରୀ ଥିବା ସୂଚନା ମିଳିଛି।


