ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଛି ବିଜେପି: ଗେହଲୋଟ୍
ଜୟପୁର: ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ପ୍ରଦେଶରେ କମଳ ନାଥ ସରକାରକୁ ଗଡ଼ାଇ ଦେଇ କ୍ଷମତା ହାସଲ କରିଥିବା ବିଜେପି ରାଜସ୍ଥାନରେ ମଧ୍ୟ ସମାନ ପନ୍ଥା ଆପଣାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ କଂଗ୍ରେସରୁ କେତେକ ବିଧାୟକ ଇସ୍ତଫା ଦେବା ପରେ ଦଳ ପକ୍ଷରୁ ସମସ୍ତ ବିଧାୟକଙ୍କୁ ଜୟପୁରସ୍ଥିତ ଏକ ରିସର୍ଟରେ ରଖାଯାଇଛି। ବିଜେପି କଂଗ୍ରେସରେ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଉଦ୍ୟମ କରିବା ସହ ବିଧାୟକଙ୍କୁ ଦଳ ଛାଡ଼ିବା ସକାଶେ ୨୫ କୋଟି ଲେଖାଏଁ ଟଙ୍କା ଯାଚୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚରେ ମଧ୍ୟ ପ୍ରଦେଶ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ସମର୍ଥକଙ୍କ ସହ ବିଜେପିରେ ମିଶିବା ପରେ କମଳ ନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇ ଶେଷରେ କ୍ଷମତା ହାତଛଡ଼ା କରିଥିଲା। ରାଜସ୍ଥାନରେ ମଧ୍ୟ ବିଜେପି ସମାନ ଅବସ୍ଥା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା ଗେହଲୋଟ୍ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି ବିଜେପି ପକ୍ଷରୁ ଅଗ୍ରୀମ ଭାବେ ୧୦ କୋଟି ଲେଖାଏଁ ଟଙ୍କା ଦିଆଯାଇଛି ବୋଲି ମଧ୍ୟ ଗେହଲୋଟ୍ ଅଭିଯୋଗ କରିଛନ୍ତି।


