ପୂର୍ବତନ ପାରଳା ବିଧାୟକଙ୍କ ଚାଷ ଜମିରେ ବେଆଇନ ସେତୁ ଓ ଗାର୍ଡୱାଲ ନିର୍ମାଣ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ସୁଦ୍ଧା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରୀନାଥ ସାହୁଙ୍କ ଗାରାବନ୍ଧ ଠାରେ ଥିବା ଚାଷ ଜମି ଉପରେ ବେଆଇନ ଭାବେ ପୁର୍ତ୍ତ ବିଭାଗ ପକ୍ଷରୁ ସେତୁ ଓ ଗାର୍ଡୱାଲ ନିର୍ମାଣ କରାଯାଉଥିବା ଅଭିଯୋଗ ତାଙ୍କ ପତ୍ନୀ ଏବଂ ପରିବାର ବର୍ଗ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟ ପୁର୍ତ୍ତ ବିଭାଗ ଦ୍ୱାରା ହେଉଥିବା ବେଳେ ଏହାକୁ ଏକ ଠିକା ସଂସ୍ଥା କରୁଥିବା ବିଧାୟକଙ୍କ ପତ୍ନୀ ଛାୟା ଦେବୀ ସାହୁ ପ୍ରକାଶ କରି ଅଭିଯୋଗ କରିଛନ୍ତି ଯେ,ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଗାରବନ୍ଧ ଠାରୁ ରାମଚନ୍ଦ୍ରପୁରକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ପାଶ୍ୱର୍ରେ ଖାତା ନଂ ୧୨ ପ୍ଲଟ ନଂ ୬୭-୧୮୧-୧୮୨ଜମିକୁ ୧୦ଫୁଟ ପର୍ଯ୍ୟନ୍ତ ବେଆଇନ ଭାବେ ଜବର ଦଖଲ କରାଯାଇ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି । ସାଧାରଣତ ଯେ କୌଣସି କୋର୍ଟରେ ମାମଲା ବିଚାରଧୀନ ଥିଲେ ରାୟ ପ୍ରକାଶ ନ ହେବା ପର୍ଯନ୍ତ ବିବାଦୀୟ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରିବା ବେଆଇନ ଅଟେ । ହେଲେ ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିଲେ ସୁଦ୍ଧା ବେଆଇନ ଭାବେ ପୁର୍ତ୍ତ ବିଭାଗ ଏକ ଠିକା ସଂସ୍ଥା ଦ୍ୱାରା ସେତୁ ଓ ଗାର୍ଡୱାଲ ନିର୍ମାଣ କରୁଛନ୍ତି । ଜିଲ୍ଲା ପ୍ରଶାସନ ଓ ପୁର୍ତ୍ତ ବିଭାଗକୁ ପରିବାର ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିବେଦନ କରାଯାଇଛି । ଜବରଦସ୍ତି ଓ ବେଆଇନ ଭାବେ ଜମି ଅଧିଗ୍ରହଣ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପୁର୍ତ୍ତ ବିଭାଗ ପକ୍ଷରୁ କ୍ଷତି ପୁରଣ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହି ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରୀନାଥ ସାହୁଙ୍କ ଝିଅ ମୀନାକ୍ଷୀ ସାହୁ,ପୁଅ କୁନା କୁମାର ସାହୁ ଓ ମନୋଜ ସାହୁ ନିବେଦନ କରିଛନ୍ତି ।


