କାଉଡ଼ିଆ ଭକ୍ତଙ୍କ ମାସିକିଆ ସଂକଳ୍ପ ବ୍ରତ ଧାରଣ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ୍ ସଙ୍ଘର ବହୁ କାଉଡ଼ିଆ ଧାର୍ମିକ ମାସ ଧାରା ଶ୍ରାବଣରେ ମହାଦେବଙ୍କ ଠାରେ ଜଳଲାଗି କରିବା ପାଇଁ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଛନ୍ତି । ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଖଡ଼ିରତ୍ନ ସିମାଂଚଳ ପଣ୍ଡିତ ପୌରହିତ୍ୟରେ ପୂଜାହେମାଦି ଅନୁଷ୍ଠିତ ହୋଇଥିଲା । କର୍ତା ରୂପେ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । କାଉଡ଼ିଆ ମାନେ ମାସ ତମାମ ଦିନରେ ଥରେ ସାତ୍ୱିକ ଅରୁଆ ଅନ୍ନ ଭୋଜନ କରି ସମସ୍ତ ନିୟମ ପାଳନ କରିବା ପାଇଁ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଥିଲେ । ହିଂଜିଳିକାଟୁ ପୌରାଂଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ୍ ସଙ୍ଘର ପ୍ରଥମ ପାଳି ସୋମବାରରେ ଆସିକା ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଧାରଣ କରି ରାମକୃଷ୍ଣପୁର ଲୋକନାଥେଶ୍ୱରଙ୍କ ପୀଠରେ ଜଳଲାଗି କରିବେ । ୨ୟ ପାଳି ସୋମବାରରେ ନୟାଗଡ଼ ଗୋକୁଳାନନ୍ଦ ଠାରୁ ପବିତ୍ର ନଦୀ ଜଳ ନେଇ ଚମ୍ପେଶ୍ୱର କଟକର ଚମ୍ପାନାଥ, ୩ୟ ପାଳି ସୋମବାରରେ ଆସିକା ଋଷିକୂଲ୍ୟା ନଦୀ ଜଳ ଧାରଣ କରି ହିଂଜିଳିକାଟୁ ଚନ୍ଦ୍ରକଳ୍ପେଶ୍ୱର ମହାଦେବ ଓ ଶେଷ ପାଳି ସୋମବାରରେ ହିଂଜିଳିକାଟୁ ନିକଟସ୍ଥ ଖରିଡ଼ା ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଧାରଣ କରି ସୁନାଦେଇ ମାରୋଡ଼ି ସ୍ଥିତ ନିଳକଣ୍ଠେଶ୍ୱର ମହାଦେବଙ୍କ ଠାରେ ଜଳଲାଗି କରିବା ଲାଗି ସ୍ଥିର କରାଯାଇଛି । ଉକ୍ତ ସଂକଳ୍ପ ବ୍ରତରେ ବହୁ କାଉଡ଼ିଆ ଅଂଶ ଗ୍ରହଣ କରି ମାନସିକ ବ୍ରତ ଧାରଣ କରିଥିଲେ । ବୋଲବମ ସଙ୍ଘର ସଭାପତି ସିମାଂଚଳ ମୁଦୁଲି, ଉପସଭାପତି ଗୋପାଳ କୃଷ୍ଣ ସାହୁ , କୋଷାଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଶେଷଦେବ ସାହୁ, ସୂର୍ଯ୍ୟ ନାରାୟଣ ପ୍ରଧାନ, ମନୋରଂଜନ ପାଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।