ସିବିଆଇସି ପକ୍ଷରୁ ସମସ୍ତ ସିଜିଏସଟି ଓ ବର୍ହିଶୁଳ୍କ କାର୍ଯ୍ୟାଳୟରେ ଇ-ଅଫିସ ବ୍ୟବସ୍ଥାର ଆରମ୍ଭ
ନୂଆଦିଲ୍ଲୀ : ସାରା ଦେଶରେ ଥିବା ୫୦୦ରୁ ଊର୍ଦ୍ଧ୍ଵ ସିଜିଏସଟି ଏବଂ ବର୍ହିଶୁଳ୍କ କାର୍ଯ୍ୟାଳୟରେ ଆଜିଠାରୁ ଇ-ଅଫିସ ବ୍ୟବସ୍ଥାର ପ୍ରୟୋଗ ଆରମ୍ଭ ହୋଇଛି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ବର୍ହିଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଏମ. ଅଜିତ କୁମାର ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ସିବିଆଇସିର ୮୦୦ରୁ ଅଧିକ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରିମୋଟ ଜରିଆରେ ଏହି ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏନଆଇସିର ମହାନିର୍ଦ୍ଦେଶକ ଡ. ନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ। ୫୦ହଜାରରୁ ଅଧିକ ଅଧିକାରୀ ଓ କର୍ମଚାରୀମାନେ ଏହି ବ୍ୟବସ୍ଥାର ଉପଯୋଗ କରିବା ଫଳରେ ଭାରତ ସରକାରଙ୍କର ଅନ୍ୟତମ ବୃହତ ବିଭାଗ ସିବିଆଇସିର ଅନ୍ତରୀଣ କାର୍ଯ୍ୟ ପ୍ରଣାଳୀ ସ୍ଵୟଂକ୍ରିୟ ହୋଇପାରିବ। ଇ-ଅଫିସ ବ୍ୟବସ୍ଥା ଫଳରେ ସିବିଆଇସିର ଅନ୍ତରୀଣ କାର୍ଯ୍ୟ ପଦ୍ଧତିରେ ଢାଞ୍ଚାଗତ ପରିବର୍ତ୍ତନ ଆସିପାରିବ। ପୂର୍ବରୁ ଫାଇଲ ଓ କାଗଜପତ୍ର କାମ ସାଧାରଣ ପ୍ରକ୍ରିୟାରେ ହେଉଥିବା ବେଳେ ଏବେ ଏହା ସ୍ଵୟଂକ୍ରିୟ ଭାବେ ଇଲେକ୍ଟ୍ରୋନିକ ମାଧ୍ୟମରେ ହୋଇପାରିବ। ଇ-ଅଫିସ ବ୍ୟବସ୍ଥା ଫଳରେ ଆଇଟି ଆଧାରିତ ସଂସ୍କାର ଆସିପାରିବ ଯାହା ବାଣିଜ୍ୟ ଓ ଶିଳ୍ପ ଜଗତ ପାଇଁ ବ୍ୟବସାୟିକ ସୁଗମତା ବୃଦ୍ଧିର ଲକ୍ଷ୍ୟ ହାସଲ ଦିଗରେ ସିଧାସଳଖ ସହାୟକ ହେବ। “ସାକ୍ଷାତ ଶୂନ୍ୟ, ସ୍ପର୍ଶ ଶୂନ୍ୟ ଏବଂ କାଗଜମୁକ୍ତ’ (ଫେସଲେସ, କଣ୍ଟାକ୍ଟଲେସ ଏବଂ ପେପରଲେସ) ପରୋକ୍ଷ ଟିକସ ପ୍ରଶାସନ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଯୁକ୍ତିର ପ୍ରୟୋଗ ଲାଗି ସିବିଆଇସି ପକ୍ଷରୁ ଇ-ଅଫିସ ଆଉ ଏକ ବୃହତମ ପଦକ୍ଷେପ। ଏହି ଇ-ଅଫିସ ଆପ୍ଲିକେସନକୁ ଏନଆଇସି ଦ୍ବାରା ବିକଶିତ କରାଯାଇଛି ଏବଂ ଏହାକୁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ଵାରା ସମର୍ଥନ ଦିଆଯାଇଛି। ଫାଇଲ କାମ ଏବଂ ସରକାରୀ ସ୍ତରରେ ନିଷ୍ପତ୍ତି ନେବାର ଅନ୍ତରୀଣ କାମକୁ ସ୍ଵୟଂକ୍ରିୟ କରିବା ଉଦ୍ଦେଶ୍ୟରେ ଇ-ଅଫିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇ-ଅଫିସ ବ୍ୟବସ୍ଥା ଫଳରେ ସିଜିଏସଟି ଓ ବର୍ହିଶୁଳ୍କ ଅଧିକାରୀମାନେ ଦୈନନ୍ଦିନ କରୁଥିବା ଫାଇଲ କାମରେ ଦ୍ରୁତ ନିର୍ଣ୍ଣୟ, ପାରଦର୍ଶିତା ଓ ଉତ୍ତରଦାୟିତ୍ଵ ଆସିବ। ଏହା ମଧ୍ୟ କାଗଜ ଓ ପ୍ରିଣ୍ଟର ଉପଯୋଗକୁ ହ୍ରାସ କରି ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ। କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଇ-ଅଫିସ ବ୍ୟବସ୍ଥାର ବିଶେଷ ପ୍ରାସଙ୍ଗିକତା ରହିଛି। ଏହା ସାଧାରଣ ପ୍ରକ୍ରିୟାରେ ଫାଇଲ ସ୍ପର୍ଶ କରି କାମ କରିବାର ବ୍ୟବସ୍ଥା ବଦଳରେ ସ୍ପର୍ଶମୁକ୍ତ ଇ-ବ୍ୟବସ୍ଥାର ପ୍ରଚଳନ କରିବ। ଯାହାକି ସ୍ପର୍ଶଜନିତ ମହାମାରୀ ସଂକ୍ରମଣରୁ ସୁରକ୍ଷା ଦେବ। ଆହୁରି ଇ-ଅଫିସ ଦ୍ଵାରା କୌଣସି ଫାଇଲ କିମ୍ବା ଜରୁରି କାଗଜପତ୍ର ବଦଳାଇ ହେବ ନାହିଁ କିମ୍ବା ନଷ୍ଟ କରାଯାଇପାରିବ ନାହିଁ କିମ୍ବା ବିଳମ୍ବରେ ଦାଖଲ କରାଯାଇପାରିବ ନାହିଁ, ଯଦ୍ଵାରା ଏଗୁଡ଼ିକର ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ଏକ ଅନ୍ତରୀଣ ଅନୁଧ୍ୟାନ ବ୍ୟବସ୍ଥା ରହିବ ଯାହା ଦ୍ରୁତ କାର୍ଯ୍ୟ ପ୍ରକ୍ରିୟା ଏବଂ ନିର୍ଣ୍ଣୟକୁ ସୁନିଶ୍ଚିତ କରିବ। ଇ-ଅଫିସ ହେଉଛି ଭାରତୀୟ ଜାତୀୟ ଇ-ଗଭର୍ଣ୍ଣାନ୍ସ ଅଧୀନରେ ଏକ ମିଶନ ଆଧାରିତ ପ୍ରକଳ୍ପଏମଏମପି।