କରୋନା ପାଇଁ କୋର୍ଟ ବନ୍ଦ, ୧୮ ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍
ପୁରୀ: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ପୁରୀରେ ଓକିଲ ଓ ମୋହରିର କରୋନା ଆକ୍ରାନ୍ତ ପରେ କୋର୍ଟ ବନ୍ଦ ହେବା ଭଳି ଖବର ସାମାନାକୁ ଆସିଛି । ଜୁଡିସିଆଲ କୋର୍ଟ, କଲେକ୍ଟୋରିଏଟ, ଉପଜିଲ୍ଲାପାଳଙ୍କ ଅଫିସ ଓ ତହସିଲ ଅଫିସ ବନ୍ଦ କରାଯାଇଛି । ସେହିପରି ହରିହର ଛକରୁ ଟାଉନ ହଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପୁରୀ ଜିଲ୍ଲାର ୨ଟି ଥାନାର ୧୮ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କଣାସ ଥାନାର ୧୧ ଓ ଗଡ଼ିଶାଗୋଦା ଥାନାର ୭ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୪ ଦିନ ତଳେ କଣାସ ପୁଲିସ ଜଣେ ଗାଡ଼ି ଚୋରକୁ ଧରିଥିଲା । ଗଡ଼ିଶାଗଦା ପୁଲିସ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା । ଉଭୟ ଅଭିଯୁକ୍ତ ନମୁନା ପଜିଟିଭ ଆସିବା ପରେ ୨ଟି ଥାନାର ୧୮ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।