ଆୟୁର୍ବେଦ କଲେଜରେ ସିସିଆରଏଏସ ଆୟୁଷ ପ୍ରକଳ୍ପର ଶୁଭାରମ୍ଭ
କୁକୁଡାଖଣ୍ଡି,(ବିଭୁନନ୍ଦନ ପଣ୍ଡା): ନୂଆଦିଲ୍ଲୀସ୍ଥିତ ଆୟୁର୍ବେଦିକ ବିଜ୍ଞାନରେ ଗବେଷଣା ପାଇଁ କେନ୍ଦ୍ରୀୟ ପରିଷଦ (ସିସିଆରଏଏସ୍) ଏବଂ କେ.ଏ.ଟି.ଏସ୍. ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଅଙ୍କୁଶପୁରର ମିଳିତ ଆନୁକୂଲ୍ୟରେ ଆୟୁର୍ବେଦ ଆଧାରିତ ଜୀବନଶୈଳୀର ଅବଲମ୍ବନ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଔଷଧୀୟ ଉଦ୍ଭିଦର ବ୍ୟବହାରର ପ୍ରଭାବ ମୂଲ୍ୟାଙ୍କନ ପାଇଁ ସିସିଆରଏଏସ୍–ଆୟୁଷ୍ୟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦ ଆଧାରିତ ଜୀବନଶୈଳୀର ଅବଲମ୍ବନ, ଔଷଧୀୟ ଉଦ୍ଭିଦର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି, ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଔଷଧୀୟ ଉଦ୍ଭିଦର ବ୍ୟବହାରର ପ୍ରଭାବର ବୈଜ୍ଞାନିକ ମୂଲ୍ୟାଙ୍କନ କରିବା। ପ୍ରକଳ୍ପ ଅନ୍ତର୍ଗତ ୫୦ଟି ପରିବାରକୁ ପ୍ରାୟ ୫୦୦ଟି ଔଷଧୀୟ ଚାରା ବଣ୍ଟନ କରାଯାଇଥିଲା। ଏଥିରେ ତୁଳସୀ, ହାଦଯୋଡ଼ା, ଜୁଆଣି, ଚିରେଇତା, ଘିକୁଆଁରି, ବ୍ରାହ୍ମୀ ଏବଂ ଲେମନ୍ ଘାସ ଆଦି ଔଷଧୀୟ ଉଦ୍ଭିଦ ରହିଥିଲା। ଲୋକମାନଙ୍କୁ ଏହି ଉଦ୍ଭିଦଗୁଡ଼ିକର ରୋପଣ, ଯତ୍ନ, ଔଷଧୀୟ ଗୁଣ ଏବଂ ଆବଶ୍ୟକ ସମୟରେ ବୈଜ୍ଞାନିକ ପରାମର୍ଶ ସହିତ ଏହାର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ୧୫୦ ଜଣ ଅଂଶଗ୍ରହଣକାରୀଙ୍କୁ ସିସିଆରଏଏସ୍ ପକ୍ଷରୁ ଆରୋଗ୍ୟ କିଟ୍ ବଣ୍ଟନ କରାଯାଇଥିଲା। ଏହି କିଟ୍ରେ ତିଳ ତୈଳ, ଅଣୁ ତୈଳ ଓ ଦଶନ ସଂସ୍କାର ଚୂର୍ଣ୍ଣ ଆଦି ରହିଥିଲା। ଅଂଶଗ୍ରହଣକାରୀ ପରିବାରଗୁଡ଼ିକ ଛଅ ମାସ ଧରି ଏହାର ବ୍ୟବହାର କରିବା ପରେ ଏହାର ପ୍ରଭାବର ମୂଲ୍ୟାଙ୍କନ କରାଯାଇ ସିସିଆରଏଏସ୍, ନୂଆଦିଲ୍ଲୀକୁ ପ୍ରେରଣ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ୍ ପ୍ରଫେସର ଡା. ଅରୁଣ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଡା. ଚିନ୍ମୟ ଭବାନୀ ପ୍ରସାଦ, ସ୍ଥାନୀୟ ପ୍ରତିନିଧି ସୁରେଶ ସେଠୀ, କାହ୍ନୁଚରଣ ପାତ୍ର, ଡା. ସୁବ୍ରତ ଜୟସିଂହ, ଡା. ଅଂଶୁମାନ ବିଶ୍ୱାଳ ଓ ଡା. ନୀଳାମ୍ବର ବୁଧିଆ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପର ପରିଚାଳନାରେ ସିଏ ଆରଆଇ, ଭୁବନେଶ୍ୱରର ପ୍ରତିନିଧି ଡ଼। ସୁଧାଂଶୁ ମେହେର, କେ.ଏ.ଟି.ଏସ୍. ଆୟୁର୍ବେଦ ମହାବିଦ୍ୟାଳୟର ଗବେଷକ ଡା. ଶିବପ୍ରସାଦ ରାଉତ ଏବଂ ସହଗବେଷକ ଡା. ଜୟଶ୍ରୀ ବେଜ୍ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା. ଅରୁଣ କୁମାର ଦାସଙ୍କ ଦକ୍ଷ ନେତୃତ୍ୱ, ସକ୍ରିୟ ସହଯୋଗ ଓ ନିରନ୍ତର ମାର୍ଗଦର୍ଶନ ପ୍ରକଳ୍ପର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉଲ୍ଲେଖ କରାଯାଇଥିଲା। ଏଥିସହ ସିସିଆରଏଏସ୍ର ମହାନିର୍ଦ୍ଦେଶକ ପ୍ରଫେସର ଡା. ରବି ନାରାୟଣ ଆଚାର୍ଯ୍ୟଙ୍କ ଦୂରଦୃଷ୍ଟିସମ୍ପନ୍ନ ଗବେଷଣାତ୍ମକ କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ସମସ୍ତେ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅମନ୍ ଦୀପ, ଚିନ୍ମୟ, ବିଶ୍ୱଜିତ୍,ଶୈଳସୁତା, ଓମ୍ ପ୍ରକାଶ, ସୋନାଲି, ରମଣୀ, ରୋହିତ, ମନୀଷା, ଶ୍ରେୟା, ଅନୁରାଧା ଓ ସ୍ୱୟଂ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କେ.ଏ.ଟି.ଏସ୍. ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ସଚେତନତାମୂଳକ ପଥନାଟକ ପରିବେଷଣ କରାଯାଇଥିଲା। ଏହା ମାଧ୍ୟମରେ ଆୟୁର୍ବେଦିକ ଜୀବନଶୈଳୀ, ଔଷଧୀୟ ଉଦ୍ଭିଦର ଉପଯୋଗ ଏବଂ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା।


