ଚୀନ ଆଖିରେ ଆଖି ମିଳାଇଲା ଭାରତ
ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ତେଜିଛି। ୫ ସପ୍ତାହରୁ କୁହୁଳୁଥିବା ନିଆଁ ଆଜି ଜଳିବା ଆରମ୍ଭ କରିଛି। ପିପଲ୍ସ ଲିବରେସନ ଆର୍ମି ଓ ଭାରତୀୟ ଯବାନ ମଧ୍ୟରେ ଜୁନ ୧୬ରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଆକ୍ଚୁଆଲ ଲାଇନ ଅଫ କଣ୍ଟ୍ରୋଲରେ ୪୫ ବର୍ଷ ପରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ପରିଣାମସ୍ବରୂପ ଭାରତ ଜଣେ ସେନାଧିକାରୀଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହିତ ଚୀନର ୪୩ ଜଣ ଯବାନଙ୍କୁ ମଧ୍ୟ ଭାରତ ମାରି ଗଡ଼ାଇଥିବା ମଧ୍ୟ ସୂଚନା ମିଳିଛି। ପ୍ରତିପକ୍ଷ ଚୀନର କ୍ଷୟକ୍ଷତି ହୋଇଥିଲେ ହେଁ ସରକାରୀ ଭାବେ ଏହାକୁ ସ୍ବୀକାର କରୁନି ଡ୍ରାଗନ। ଚୀନ ରାଷ୍ଟ୍ରପତି ସେନାକୁ ପ୍ରସ୍ତୁତ ହୋଇ ରହିବାକୁ କହିଥିବା ବେଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଆଗାମୀ ଜୁନ ୧୯ ତାରିଖ ସନ୍ଧା ୫ଟାରେ ପ୍ରଧାନମନ୍ତ୍ରୀ ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି।
କୋରୋନା ଭୂତାଣୁର ମୁକାବିଲା ପାଇଁ ସାରା ବିଶ୍ବ ଲଢ଼ୁଥିବା ବେଳେ ଚୀନକୁ ଘାରିଛି ଅର୍ଥ ରୋଜଗାର ଏବଂ ସାମ୍ରାଜ୍ୟ ବିସ୍ତାରର ଲାଳସା। ୧୯୫୮ ମସିହାରେ ଭାରତ-ଚୀନ ବାସ୍ତବ ସୀମାରେଖା ନିକଟରେ ଚୀନ ସଡ଼କ ନିର୍ମାଣ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନୀରବତା କାରଣରୁ ସଫଳ ହୋଇଯିବା ପରେ ଏହାକୁ ଭାରତର ଦୁର୍ବଳତା ବୋଲି ମନେକରିଆସିଛି। ଏସିଆ ମହାଦେଶର ନମ୍ବର ୱାନ ଅର୍ଥନୀତିର ଦେଶ ବୋଲି ଦାବି କରି ଆସୁଥିବା ଚୀନ ୧୯୬୨, ୧୯୬୭, ୧୯୭୫ ଏବଂ ଏବେ ୨୦୨୦ରେ ଭାରତୀୟ ଯବାନମାନଙ୍କୁ ଟାର୍ଗେଟ କରି ହିନ୍ଦୀ-ଚୀନୀ ଭାଇ ଭାଇ ନାରାକୁ ଉପହାସ କରିଛି। ସବୁବେଳେ ଶାନ୍ତି ଚାହିଁ ଆସିଥିବା ଭାରତକୁ ଉସୁକାଇ ହିଂସ୍ରକ ଆକ୍ରମଣ କରାଇବା ଚୀନର ଚାଲ ବୋଲି ଗତକାଲି ଘଟଣାରୁ ସ୍ପଷ୍ଟ ହୋଇଛି। ଲଦାଖର ଗଲୱାନ ଉପତ୍ୟକାରେ ପ୍ରାଣ ହରାଇଥିବା ୨୦ ବୀର ଯବାନଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାନ ଅଛନ୍ତି। କନ୍ଧମାଳ ରାଇକିଆ ଅଞ୍ଚଳର ସିପାହି ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ନାଏକ ସୁବେଦାର ନନ୍ଦୁରାମ ସୋରେନ ଏହି ସଂଘର୍ଷରେ ଶହୀଦ ହୋଇଛନ୍ତି। ଭାରତ ଚୀନ ସୀମାରେ ଗତ ମେ ମାସ ୪ ତାରିଖରୁ ଉତ୍ତେଜନା ଲାଗିରହିବା ପରେ ସୋମବାର ରାତିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ଲାଠିମାଡ଼, ଟେକାପଥର ଓ କଣ୍ଟାଯୁକ୍ତ ଲୁହାତାର ଦ୍ବାରା ଆକ୍ରମଣ ଓ ପ୍ରତି ଆକ୍ରମଣ ଲାଗିରହିଥିଲା। ଭାରତୀୟ ସେନାର ଏକ ପାଟ୍ରୋଲିଂ ପାର୍ଟି ଗଲୱାନ ନଦୀ ଉପତ୍ୟକାରେ ୧୫ ହଜାର ଫୁଟ ଉଚ୍ଚତାରେ ଚୀନ ସେନାର ଏକ ତମ୍ବୁ ହଟାଇବାକୁ ଯାଇଥିବା ବେଳେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା।
ଭାରତ କରୋନା ଭୂତାଣୁ ବିରୋଧରେ ଲଢ଼ିବା ସହ ଆର୍ଥିକ ଦୁର୍ଗତି ଭିତରକୁ ଠେଲି ହୋଇଯାଇଛି। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାରତ ଗଲୱାନ ଉପତ୍ୟକାରେ ଉତ୍ତେଜନା ସ୍ଷ୍ଟି କରିଛି ବୋଲି ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମସ ଏହାର ସମ୍ପାଦକୀୟରେ ସୂଚିତ କରାଇଛି। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ବୋଲି ଭାରତ କହିଛି। ଭାରତର କହିବା କଥା, ସାରା ବିଶ୍ବ କରୋନା ଭୂତାଣୁ ପାଇଁ ଚୀନକୁ ସନ୍ଦେହ ଦ୍ଷ୍ଟିରେ ଦେଖୁଛି। ଚୀନର ଉହାନ ଲାବରୁ କରୋନା ଭୂତାଣୁ ବିଶ୍ବବ୍ୟାପୀ ପ୍ରସାରିତ ହୋଇଛି। ଆମେରିକା ସମେତ ୟୁରୋପୀୟ ସଂଘ ଚୀନର ତଥ୍ୟ ଗୋପନ ପ୍ରସଙ୍ଗ, ପରିଚାଳନାରେ ବିଭ୍ରାଟ ଓ ମହାମାରୀରେ ମ୍ତକଙ୍କ ସଂଖ୍ୟା ବିଶ୍ବବାସୀଙ୍କ ନିକଟରେ ଅନ୍ଧାରରେ ରଖିଛି। କୂଟନୈତିକ ସ୍ତରରେ ଧ୍ବସ୍ତ ହୋଇ ପଡ଼ିଥିବା ଚୀନର ଚାଲକୁ ଏବେ ଭିନ୍ନ ବାଟରେ ପରିଚାଳନା କରାଯାଉଛି। ଚୀନ ୧୯58ରେ ଯେଭଳି ଚାଲ ଚଳାଇ ପ୍ରକ୍ତ ନିୟନ୍ତ୍ରଣରେଖାରେ ସଡ଼କ ନିର୍ମାଣ କରିପାରିଲା ଏବେ ଆଉ ଯେ ସେପରି କରିବା ସମ୍ଭବ ନୁହେଁ, ତାହା ଜାଣି ରକ୍ତଚାଉଳ ଚୋବାଉଛି। ୧୯୬୨ର ସ୍ଥିତି ଆଉ ଦେଶରେ ନାହିଁ। ଭାରତ ସାମରିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ନିଜକୁ ଗଢ଼ିଛି। ଚୀନ ଭାରତକୁ ପାକିସ୍ତାନ ଭଳି ଦେଖିବା ଛାଡ଼ୁ। ଅପରପକ୍ଷରେ କରୋନା ଭୂତାଣୁର ଉତ୍ପତି ଖୋଜୁଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।
ଚୀନ ସେନାର ଚାଲବାଜି କାରଣରୁ ଏଲଏସି ନିକଟସ୍ଥ ଗଲୱାନ ଘାଟିରେ ସଂଘଟିତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ପ୍ରତିକ୍ରିୟାଶୀଳ ହୋଇଛି। ଫଳସ୍ବରୂପ ବିଏସଏନଏଲ ଓ ଏମଟିଏନଏଲର ୪ଜି ସେବା ପାଇଁ ଉପକରଣ ଯୋଗାଇ ଦେବାକୁ ଟେଣ୍ଡର ପାଇଥିବା ଚୀନ କମ୍ପାନୀର ଏହି ସୁବିଧାକୁ ବାତିଲ କରିଦିଆଯାଇଛି। ଏଥିସହିତ ଆହୁରି କେତେକ ବଡ଼ ନିଷ୍ପତ୍ତି ନେବାକୁ ଭାରତ ସରକାର ଚିନ୍ତା କରୁଛନ୍ତି। ଏହି ଆଧାରରେ ଭାରତରେ ଚାଲୁଥିବା ଚୀନର ସମସ୍ତ ବଡ଼ ବଡ଼ ପ୍ରକଳ୍ପର ସମୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି। ଚୀନ ବିରୋଧରେ ଭାରତ ବଡ଼ ଆର୍ଥିକ ନିଷ୍ପତ୍ତି ନେଇପାରେ। ୧୧୨୬ କୋଟିର ଦିଲ୍ଲୀ-ମେରଠ ପ୍ରକଳ୍ପକୁ ମଧ୍ୟ ରଦ୍ଦ କରିଦିଆଯାଇପାରେ ବୋଲି ଆଶଙ୍କା ରହିଛି।
୨୦୦୦ରେ ଭାରତ-ଚୀନ ଦ୍ବିପାକ୍ଷିକ ବ୍ୟବସାୟ ୩ ବିଲିଅନ ଡଲାର ଥିଲା। ଏହା ୨୦୧୮ରେ ୯୫.୫୪ ବିଲିଅନ ଡଲାରରେ ପହଞ୍ଚିଲା। ଟିକଟକ, ଆଲିବାବା, ସାଓମି, ହ୍ୟାଲୋ, ଓପୋ ଆଦି ଆପ, ଇ-କମର୍ସ ଓ ମୋବାଇଲ କମ୍ପାନୀ ଜରିଆରେ ଚୀନ ଭାରତରୁ ବିପୁଳ ଅର୍ଥ ଯୋଗାଡ଼ କରୁଛି। ସେହିପରି ପେଟିଏମରେ ଚୀନ କମ୍ପାନୀ ଆଲିବାବାର ୪୦ ପ୍ରତିଶତ ଅଂଶ ଅଛି। ଫ୍ଲିପକାର୍ଟ, ସ୍ନାପଡିଲ, ସ୍ବିଗି, ଜୋମାଟୋ ଆଦିରେ ଚୀନ କମ୍ପାନୀର ପୁଞ୍ଜିନିବେଶ ଅଛି। ଏଚଡିଏଫସି ବ୍ୟାଙ୍କରେ ମଧ୍ୟ ବଡ଼ ପରିମାଣର ନିବେଶ କରିଛି ଚୀନର ପିପଲସ ବ୍ୟାଙ୍କ ଅଫ ଚାଇନା। ଏବେ ସରକାରଙ୍କ ବିନା ଅନୁମୋଦନରେ ମୋଦି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇପାରିବନି ବୋଲି ଆଇନ ଆଣିବା ପରେ ଡ୍ରାଗନ ବାଉଳା ଚାଉଳା ହେଉଛି।