ଗଂଜାମର ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ : ଧର୍ମେନ୍ଦ୍ର

ବ୍ରହ୍ମପୁର (ଓ୍ବାଇଏନ୍ଏସ୍) : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଆୟୋଜିତ ବ୍ରହ୍ମପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ଜନସାଧାରଣଙ୍କୁ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ଯାତ୍ରା ଉପରେ ଉଦ୍‌ବୋଧନ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରବାସୀ ଶ୍ରମିକ ମାନଙ୍କୁ ରୋଜଗାର ଦେବା ପାଇଁ ୫୦ ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଦ୍ୱାରା ଗଂଜାମର ପ୍ରବାସୀ ଶ୍ରମିକ ମାନେ ଲାଭବାନ ହେବେ ତଥା ରୋଜଗାର ପାଇ ପାରିବେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅପର ପକ୍ଷରେ କରୋନା ମହାମାରୀ କାରଣରୁ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଦେଖାଦେଇଥିଲା କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କାରଣରୁ ଆଜି ରଥଯାତ୍ରା ସମ୍ଭବ ହୋଇପାରିଛି । ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭରଷା କରୁଛନ୍ତି । ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି । ଅବସରରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଇବା ପାଇଁ ଏବଂ ଦଳର ଏହି ଜନସମ୍ବାଦ ଅଭିଯାନକୁ ସଫଳ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେବାସହ ଗଂଜାମ ଜିଲ୍ଲାରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଜନସମ୍ବାଦ ଭର୍ଚୁଆଲ ରାଲିକୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ କରି ଶୁଭାରମ୍ଭ କରିଥିଲେ । ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଏନ୍‌.ରାଜେନ୍ଦ୍ର କୁମାର ପରିଚୟ ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଲୋକେ ପାଇ ପାରିବେ ସେଥିପାଇଁ ସମସ୍ତେ ଉଦ୍ୟମ କରିବେ ବୋଲି ଜିଲ୍ଲା ସଭାପତି ଜେନା ମତ ପୋଷଣ କରିଥିଲେ । ସେହିପରି ି ନିଜ ଉଦ୍‌ବୋଧନରେ ବ୍ରହ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପତି ଓଡିଶାର ସର୍ବାଧିକ ୬ଲକ୍ଷରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକ ଗଂଜାମ ଜିଲ୍ଲାକୁ ଫେରିବାରେ ସହାୟକ ହେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ ଏହା ସହ ତାଙ୍କ ପାଖରେ ଥିବା ଇସ୍ପାତ କିମ୍ବା ପେଟ୍ରୋଲିୟମ ବିଭାଗ ପକ୍ଷରୁ ଏକ ମେଗା ପ୍ରକଳ୍ପ କରାଯାଇ ଗଂଜାମ ଜିଲ୍ଲାବାସୀଙ୍କ କର୍ମ ସଂସ୍ଥାନ ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଟାଟାକୁ ମୂଳ ମେଗା ପ୍ରକଳ୍ପ କରିବା ପାଇଁ ଯୋର ଦେବା , ଗୋପାଳପୁର ବନ୍ଦର କୁ କେନ୍ଦ୍ର ସରକାର ନିଜ ଅଧିନକୁ ନେବା ସହ ସବୁ ଦିନିଆ ବନ୍ଦରରେ ପରିଣତ କରିବା , ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ କୁ ଉଡାନ୍ ଯୋଜନାରେ ସାମିଲ୍ କରିବା ଓ “ଲୋକାଲ୍ ଟୁ ଭୋକାଲ” ବ୍ରହ୍ମପୁର ସିଲ୍କ ପାଟକୁ ପ୍ରୋସ୍ଥାହିତ କରିବା, ଆଦି ବିଷୟ ଗୁଡିକୁ ଉପସ୍ଥାପନ କରିଥିଲେ । ସେହିଭଳି ରାଜ୍ୟ ସରକାରଙ୍କ ୨୧ବର୍ଷର ବିଫଳତାର ନମୁନା ସ୍ୱରୂପ ଖଲିକୋଟ କଲେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଧାରୁ ଅଧିକ ପଦ ଖାଲି ପଡିଛି ଏବଂ ବ୍ରହ୍ମପୁରର ମୁଖ୍ୟ ସମସ୍ୟା ପିଇବା ପାଣି ହୋଇଥିଲେ ମଧ୍ୟ ଦୁଇବର୍ଷ ତଳୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଜାନିବିଲି ପ୍ରୋଜେକ୍ଟରୁ ପାଣି ଆଣିବା ପ୍ରହସନରେ ପରିଣତ ହୋଇଛି ଓ ବ୍ରହ୍ମପୁରରେ ଅସରାଏ ବର୍ଷାହେଲେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ହେଇପାରିଲା ନାହିଁ, ବର୍ଷାଦିନ ଆସିଲେ ପ୍ରଶାସନ ତତ୍ପର ଦେଖାଇ ବ୍ୟାପକ ଅର୍ଥକୁ ହେରଫେର୍ ହେବାର ନଜୀର ରହିଆସିଛି କହି ରାଜ୍ୟ ସରକାରଙ୍କୁ ଅକ୍ଷେପ କରିଥିଲେ । ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଂଗଦେବ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ରାଲିକୁ ପରିଚାଳନାରେ ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ , ମଦନ ମୋହନ ପାତ୍ର ଓ ଶିବ ପ୍ରସାଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ