ଏସ୍ଆଇଆର୍ କାର୍ଯ୍ୟରେ ଗଞ୍ଜାମର ଅଗ୍ରଗତି ସନ୍ତୋଷଜନକ: ପର୍ଯ୍ୟବେକ୍ଷକ ଶ୍ରୀ ରେଡ୍ଡୀ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ।ଏସ୍ଆଇଆର୍ ପ୍ରକ୍ରିୟାକୁ ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପାଦନ କରିବା ସହ ଜଣେ ହେଲେ ମଧ୍ୟ ଯୋଗ୍ୟ ଭୋଟର ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପ୍ରତି ସମସ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏସ୍ଆଇଆର୍-୨୦୨୬ର ଅଗ୍ରଗତି ସମୀକ୍ଷା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରୀ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲାର ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆର୍ଓ), ଡେପୁଟି କଲେକ୍ଟର ଡ. ଅରୁଣ କୁମାର ଖଣ୍ଡା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ରାଜନୈତିକ ଦଳଗୁଡ଼ିକର ସହଯୋଗ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ। ପରବର୍ତ୍ତୀ ବୈଠକରେ ଜିଲ୍ଲାର ସମସ୍ତ ଇଆର୍ଓଙ୍କ ସହ ଏସ୍ଆଇଆର୍ କାର୍ଯ୍ୟର ବର୍ତ୍ତମାନ ସୁଦ୍ଧା ଅଗ୍ରଗତି, ଭୋଟର ତାଲିକାର ଶୁଦ୍ଧତା ଏବଂ ଏକ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପରବର୍ତ୍ତୀ କାର୍ଯ୍ୟଯୋଜନା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଶ୍ରୀ ରେଡ୍ଡୀ ଏସ୍ଆଇଆର୍ କାର୍ଯ୍ୟକ୍ରମର ପ୍ରଗତି ନେଇ ସନ୍ତୋଷ ପ୍ରକାଶ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏବଂ ଅଯୋଗ୍ୟ ନାମକୁ ନିୟମାନୁସାରେ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ସଠିକତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଲକ୍ଷ୍ମୀ ନାରାୟଣ ପଣ୍ଡା, ଅଶୋକ କୁମାର ପଟ୍ଟନାୟକ, ଏନ୍. ଗଙ୍ଗାଧର ରେଡ୍ଡୀ, ଯୁବରାଜ ବେହେରା, ପ୍ରଶାନ୍ତ କୁମାର ପଣ୍ଡା ଓ ଭଗବାନ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।


