ଭଞ୍ଜନଗର ଏନଏସିରେ ପଜିଟିଭ ଚିହ୍ନଟ ପରେ ବହୁ ଅଞ୍ଚଳ ସିଲ୍

ଭଞ୍ଜନଗର( ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାରେ କୋରନା ଦିନକୁ ଦିନ ଦ୍ରୁତ ଗତିରେ ବଢୁଥିବାବେଳେ ଭଞ୍ଜନଗର ରେ ମଧ୍ୟ ଏହାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି।ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଙ୍କ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ବୁଧବାର ଭଞ୍ଜନଗର ବ୍ଲକରୁ ୨ପଜିଟିଭ ଚିହ୍ନଟ ହୋଇଛି। ସେଥି ମଧ୍ୟରୁ ଜଣେ ଲାଲସିଙ୍ଗ ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି। ସେ ଗତ ଚାରି ମାସ ତଳେ ସୁରତରୁ ଫେରିଥିଲେ। ସେହିପରି ଭଞ୍ଜନଗର ଏନ.ଏ.ସି ର ବିଭିନ୍ନ ୱାର୍ଡ ରୁ ୫ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସମସ୍ତ ୫ଜଣ ଯାକ ଦୋକାନୀ ଓ ବ୍ୟବସାୟୀ ହୋଇଥିବା ବିଡ଼ିଓ ଅନିଲ କୁମାର ସେଠୀ ସୂଚନା ଦେଇଛନ୍ତି। ଏଥି ସହିତ ଜିଲ୍ଲା ପ୍ରଶାସନ କୁ ଏ ନେଇ ଅବଗତ କରାଯିବା ସହିତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଅପିଲ କରାଯାଇଥିବା ସେ କହିଛନ୍ତି। ଫଳରେ ଏହାକୁ ନଜର ରେ ରଖି ଭଞ୍ଜନଗର ଖାଲାସାହି ଛକ ଠାରୁ ଥାନା ଛକର ଉଭୟ ପାର୍ଶ୍ଵ ଦୋକାନ ବଜାର,ପୁରୁଣା ବଜାର ସାହି ଉପେନ୍ଦ୍ର ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ର ପଛପାଖ ବଜାର ଓ ଏଲ.ଆଇ.ସି ଅଫିସ ଠାରୁ ଭେଜିପୁଟ ଗୋଲା ସାହି ତଥା ଜଗନ୍ନାଥ ମନ୍ଦିରର ଉଭୟ ପାର୍ଶ୍ଵ ଆସନ୍ତା ନିଷ୍ପତ୍ତି ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ଆଜି ଠାରୁ କାର୍ଯ୍ୟକାରୀ କରିବା ପାଇଁ ଏନ.ଏ.ସି ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି।ତେଣୁ ଏଭଳି ସ୍ଥିତିରେ ସମସ୍ତେ ସତର୍କ ରହି ସ୍ଥାନୀୟ ପ୍ରଶାସନ ଓ ସରକାରୀ ନିୟମ ପାଳନ କରିବା ଜରୁରୀ ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ