ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ପ୍ରଦାନ

ଧାମନଗର(ଓ୍ବାଇଏନଏସ):  ବାତ୍ୟା ‘ଅକଭାନ’ର ପ୍ରଭାବରେ ଧାମନଗର ବ୍ଲକ ଏନ ଏ ସି ରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ସକାଳୁ ବିଭିନ୍ନ ଅଞ୍ଚଳରେ ଦିନତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ବଜାରଘାଟରେ ମଧ୍ୟ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ ତାରିଖ ଶୁକ୍ରବାର ଦିନ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।ଧାମନଗର ବ୍ଲକ ଏବଂ ଏନ ଏ ସି କାର୍ଯ୍ୟାଳୟ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଓ ଆଗୁଆ ବାଦ୍ୟଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଥିଲା। ବାତ୍ୟାରେ ମିଥ୍ୟା ଖବର ପ୍ରଚାର ନ କରିବା ସହିତ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଥିଲା। ଧାମନଗର ଏନ ଏ ସି ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କ ସଂଚାଳନାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଥିଲା। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍‌କୁ ସଜାଗ ରଖାଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ବାଳିକା ବିଦ୍ୟାଳୟ,ହିନ୍ଦୁ ପ୍ରାଥମିକ ବିଦ୍ୟାଳୟ,ହବିବ ନଗର ଗ୍ରାମ,ତାଳପଦା ବିଦ୍ୟାଳୟ, ଜୟନଗର ସେବା ଆଶ୍ରମ,କାଙ୍କରା ସ୍କୁଲ,ମୁନସିପଟଣା ଗ୍ରାମ ଆଦି ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଅଧିକାରୀ ଶ୍ରୀ ମହାପାତ୍ର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଖାଦ୍ୟର ମାନ ତଦାରଖ କରିଛନ୍ତି। ବାତ୍ୟା ମୁକାବିଲା ପାଇଁ  ଏନ ଏ ସି ର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ରହିବାକୁ ତାଗିଦ କରିଛନ୍ତି ବୋଲି ଅଧିକାରୀ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି। ତେବେ ବର୍ଷାକୁ ନେଇ ପାଣିପାଗ ବିଭାଗର ବଡ଼ ଅପଡେଟ୍ ‘ବାତ୍ୟା ଅକୱାନ” ଗଭୀର ଅବପାତରେ ପରିଣତ ହୋଇଛି,ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା,ବାତ୍ୟା ଅକୱାନକୁ ନେଇ ଆଇଏମଡି ଡିଜିଙ୍କ ସୂଚନା। ଡିପ୍ ଡିପ୍ରେସନ ଓଡ଼ିଶା ଉପର ଦେଇ ଗତି କରୁଛି,ଶନିବାର ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଧାମନଗର ବ୍ଲକ ତରଫରୁ ବିଭିନ୍ନ ପଞ୍ଚାୟତର ତଳିଆ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣି ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ