କରୋନା ବାରଣରୁ କାର୍ଯ୍ୟାଳୟ ଖାଁ ଖାଁ

ହିଞ୍ଜିଳି କାଟୁ , (ଶେଷଦେବ ସାହୁ):-: ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ଏବେ କରୋନା ହଟସ୍ପଟ ଜିଲ୍ଲା ଭାବେ ପରିଚିତ ହୋଇଛି।ମେ ୨ ପର୍ଯ୍ୟନ୍ତ ଗ୍ରୀନ ଜୋନ ରେ ରହିଥିବା ଗଞ୍ଜାମ ଜିଲ୍ଲା ପରେ ଅରେଞ୍ଜ ଓ ରେଡ଼ ଜୋନ ରେ ପରିଣତ ହୋଇଛି।ଜିଲ୍ଲାରେ ସୁରଟ ଫେରନ୍ତାଙ୍କ ଆଗମନ ପରେ ଜିଲ୍ଲାର ସବୁଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ସ୍ଥିତି ସଙ୍ଗିନ ହୋଇଛି।ଫଳରେ ଜିଲ୍ଲାରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ୪ ଅଙ୍କ ଛୁଇଁଛି।ପୁଣି ମୋଟ ସଂକ୍ରମିତ ୧୦୩୧ ମଧ୍ୟରେ ୬୩ ଜଣ ଆଖି ଦୃଶିଆ କରୋନା ଯୋଦ୍ଧା ରହୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି।ଏଭଳି ଅସମ୍ଭାଳ ସ୍ଥିତି ଅନୁଧ୍ୟାନ କରି କରୋନା ମୁକାବିଲା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସତର୍କତା ପଦକ୍ଷେପ ଗ୍ରହଣ କରି ଏକ ପାଦ ଆଗକୁ ବଢିଛି।ଗୁରୁବାର ଠାରୁ ଆସନ୍ତା ୧୦ଦିନ ପାଇଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଆସିବାରେ ରୋକ ଲଗାଯାଇଛି।ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବି ସାଧାରଣ ଲୋକ କୌଣସି ସରକାରୀ କାର୍ଯ୍ୟାଳୟ ରେ ପ୍ରବେଶ କରି ପାରିବେ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ କରିଛନ୍ତି।ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ଏବଂ କର୍ମଚାରୀ କରୋନା ସଂକ୍ରମିତ ହେଉଥିବାରୁ ପ୍ରତିକାର ପଦକ୍ଷେପ ସ୍ୱରୂପ ଏଭଳି କରାଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି।ଫଳରେ ଗୁରୁବାର ହିଞ୍ଜିଳିକାଟୁ ସହରରେ ଥିବା ବ୍ଲକ, ତହସିଲ, କୃଷି ଆଦି କାର୍ଯ୍ୟାଳୟର ପ୍ରବେଶ ପଥ ବନ୍ଦ ରହିଥିଲା।କିନ୍ତୁ ପୂର୍ବରୁ ଏହି ସୂଚନା ପାଇ ନ ଥିବାରୁ ସବୁଦିନ ଭଳି ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରୁ କାର୍ଯ୍ୟାଳୟ କୁ ବହୁ ଲୋକ ଆସିଥିଲେ।କାର୍ଯ୍ୟାଳୟର ପ୍ରବେଶ ପଥ ବନ୍ଦ ଥିବା ଦେଖିଲୋକମାନେ ଗାଁ ମୁହାଁ ହୋଇଥିଲେ।ଫଳରେ ନିୟମିତ ଗହଳ ଚହଳ ରହୁଥିବା କାର୍ଯ୍ୟାଳୟ ଗୁଡିକ ଲୋକଶୂନ୍ୟ ହୋଇ ଖାଁ ଖାଁ ପରିସ୍ଥିତି ଦେଖା ଦେଇଛି।କେବଳ ସହରର ବିଭିନ୍ନ ବ୍ୟାଙ୍କ ପ୍ରତିଷ୍ଠାନ ଓ ପୋଷ୍ଟ ଅଫିସରେ କାଁ ଭାଁ ଲୋକ ଉପସ୍ଥିତ ରହିନିଜ ନିଜ ଜରୁରୀ କାମ କରୁଥିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ