ଆଉ ଏକ ସମ୍ପୂର୍ଣ୍ଣ କ୍ରାନ୍ତିର ଆବଶ୍ୟକତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଲୋକନାୟକ ଜୟପ୍ରକାଶ ଆର୍ନ୍ତଜାତୀୟ ଶିକ୍ଷା ବିକାଶ କେନ୍ଦ୍ର, ନୂଆଦିଲ୍ଲୀ, ଓଡ଼ିଶା ଶାଖା ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା । ଏଥିରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସମାଜସେବୀ ବଂଶୀଧର ପରିଡ଼ା, ସମାଜସେବୀ ମନୋଜ ଜେନା, ଅଶ୍ୱିନୀ ମହାପାତ୍ର, ଯୁବ ଇଂଜିନିୟର ଶାରଦା ପ୍ରସନ୍ନ ସ୍ୱାଇଁ (ରାଜ୍ୟ ଯୁବ ସଭାପତି ସମତା କ୍ରାନ୍ତି ଦଳ) ଉପସ୍ଥିତ ଥିଲେ । ଏହି ଅବସରରେ ତ୍ରିପାଠୀ କହିଥିଲେ ଯେ, ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ଏବେ ବି ଆବଶ୍ୟକତା ରହିଛି ବୋଲି ଅନୁଭବ କରୁଛି । କରୋନା ନାଁରେ ଯେଉଁ ପ୍ରକାର କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଏବେ ମଧ୍ୟ ଲାଗୁଛି ସମ୍ପୂର୍ଣ୍ଣ ଦେଶ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି । ଏହି ଦୁର୍ଦ୍ଦିନର ମୁକାବିଲା ପାଇଁ ସମସ୍ତ ବର୍ଗର ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଲୋକନାୟକ ଜୟପ୍ରକାଶ ଯେଉଁ ସମ୍ପୂର୍ଣ୍ଣକ୍ରାନ୍ତି ଡାକରା ଦେଇଥିଲେ ଓ ସେମାନେ ତାଙ୍କ ଡାକରାରେ ବାହାରି ଆସି ଆନ୍ଦୋଳନ କରିଥିଲେ, ଆଜି ମଧ୍ୟ ଯୁବକମାନଙ୍କୁ ଅନୁରୋଧ କରିଥିଲେ ସେହି ସମ୍ପୂର୍ଣ୍ଣ କ୍ରାନ୍ତିର ପୁନରାବୃତ୍ତି କରନ୍ତୁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଗତ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । କାରଣ ୨୭୦% ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଟିକସ ନେଉଛନ୍ତି । ତା’ମାନେ ତେଲ ଲିଟର ପିଛା ୫୦ରୁ ୫୫ ଟଙ୍କା ଆମେ କେବଳ ଟିକସ ଆକାରରେ ଦେଉଛୁ ।


