ଛତ୍ରପୁର ଏନଏସିକୁ ୬ ଦିନ ସଟ୍ ଡାଉନ୍ କଲା ପ୍ରଶାସନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ଆଜକୁ ମିଶାଇ ୧୨ ଜଣଙ୍କ କରୋନା ମୁଣ୍ଡ ନେଲାଣି । ଏପରି ଘଡ଼ିସନ୍ଧି ମୁହୂର୍ତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ଏପଟେ କରୋନା ଦାଉରୁ କିପରି ବଂଚିବେ, ସେପଟେ ପରିବାରକୁ କିପରି ପୋଷିବେ, ସେ ନେଇ ଘରର ମୁଖିଆମାନଙ୍କ ଭିତରେ ଭାଳେଣି ପଡ଼ିବା ସହ ତାଙ୍କର ଦୈନନ୍ଦିନ ଜୀବନ ବହୁ ଟେନସନରେ କଟୁଥିବାର ନଜରକୁ ଆସିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାରେ ଲୋକମାନେ କିପରି ସୁରକ୍ଷିତ ରହିବେ ଏବଂ କରୋନାରୁ ଦୂରେଇ ରହିବେ, ସେଥିନିମନ୍ତେ ଦିନରାତି ଏକ କରି ବିଭିନ୍ନ ବର୍ଗର ଅଧିକାରୀମାନେ କାର୍ଯ୍ୟ କରି ଆସୁଛନ୍ତି । ଏତିକି ଭିତରେ ବହୁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ, ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷା ବିଭାଗର କୋଭିଡ଼ ଯୋଦ୍ଧାମାନେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ଅନେକ ଜଣ ସୁସ୍ଥ ହୋଇ ପୁଣି ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳ ଓ ପୌରାଂଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧାଂଚଳ ଜୋନ ଘୋଷଣା କରାଯାଇ ସେଠାରେ ସରକାରୀ ଗାଇଡଲାଇନ ଅନୁସାରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଓ ଏନଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଥିବାବେଳେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରି ଘଡ଼ିସନ୍ଧି ମୁହୂର୍ତରେ ଛତ୍ରପୁର ଏନଏସି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଦୃଢ଼ ପଦକ୍ଷେପ ନେଇଥିବାର ସୋମବାର ଦେଖିବାକୁ ମିଳିଛି । ଶନିବାର ଓ ରବିବାର ଜିଲ୍ଲାରେ ସଟ୍ ଡାଉନ୍ ହୋଇଥିବାବେଳେ ଛତ୍ରପୁରଠାରେ ସୋମବାର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ ବିଭିନ୍ନ ଦୋକାନଠାରୁ ଆରମ୍ଭ କରି ରାସ୍ତାଘାଟ, ମେନରୋଡ଼, ବଜାର ଜନସମୁଦ୍ର ହୋଇଥିବାର ଦେଖିବାକୁ ମିଳିଥିଲା । ଏ ନେଇ ସାଧାରଣରେ ଆଲୋଚନା ହେଉଛି ଯେ ପ୍ରଶାସନ ପକ୍ଷରୁ କରୋନା କିପରି ଲୋକଙ୍କୁ ଆକ୍ରାନ୍ତ ନହେବା ନିମନ୍ତେ କାର୍ଯ୍ୟ କରୁଥିବାବେଳେ ଏପରି ଜନଗହଳିରେ ଲୋକମାନେ କରୋନା ଆକ୍ରାନ୍ତରୁ ଦୂରେଇ ରହିବେ ନା ଆକ୍ରାନ୍ତ ହେବେ ସେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛତ୍ରପୁର ଏନଏସି ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ୬ ଦିନ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଉକ୍ତ ସଟ୍ ଡାଉନ୍ ବେଳେ କେବଳ ଔଷଧ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ । ସମସ୍ତେ ଘରେ ରହିବେ ବାହାରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଏସି ପକ୍ଷରୁ ଏ ନେଇ ଆଜି ବିଭିନ୍ନ ସାହି ବସ୍ତିରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ଅବଗତ କରାଯାଇଛି । ଏହା ଶୁଣିବା ପରେ ଲୋକମାନେ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ ଶନିବାର, ରବିବାର ସଟ୍ ଡାଉନ୍ ପରେ ସୋମବାର ଛତ୍ରପୁର ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିଥିଲା । ୬ ଦିନ ସଟ୍ ଡାଉନ ଯୋଗୁଁ ଆଜି ମଧ୍ୟାହ୍ନ ପରିବର୍ତେ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲିବ କୁହାଯାଇଛି । ସେହିପରି ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଟାଟା କୋଭିଡ଼ ହସପିଟାଲକୁ ପଠାଯାଇଥିଲା । ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ଯେ ବ୍ଲକ ଅଧ୍ୟକ୍ଷଙ୍କ ସଂସ୍ପର୍ଷରେ ଆସିଥିବା ଲୋକମାନେ ନିଜେ ନିଜେ ସଙ୍ଗରୋଧରେ ରହିବା ସହ ବାହାରକୁ ନବାହାରିବାକୁ କୁହାଯାଇଛି । ଏହାସହ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସୂଚନା ଦେବାକୁ ପ୍ରଶାସନିକ ଅଧିକାରୀମାନେ ଛତ୍ରପୁରର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ