ଗଞ୍ଜାମ ଜିଲାପାଳଙ୍କ ଦିଗପହଣ୍ଡି ଗସ୍ତ: କରୋନାକୁ ରୋକିବା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଦିଗପହଣ୍ଡି ରେ ପହଞ୍ଚି କୋଭିଡ -୧୯ ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପରାମର୍ଶ ସଭାରେ ସେ ଉପସ୍ଥିତ ସରକାରୀ କର୍ମଚାରୀ ଏବଂ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ସଚେତନ କରାଇଥିଲେ। କରୋନା ସଂକ୍ରମଣ ବଢୁଛି, ସତର୍କତା କମୁଛି। ଜନସାଧାରଣ କରୋନାକୁ ବେଶ ହାଲୁକା ଭାବେ ନେଉଛନ୍ତି। ସାମାଜିକ ଦୂରତା ଓ ମାସ୍କ୍ ପିନ୍ଧିବାକୁ ଲୋକେ ଭୁଲି ଯାଉଛନ୍ତି। ଦୋକାନ ବଜାରରେ ଅସମ୍ଭାଳ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି।ପ୍ରବାସୀଙ୍କ ଆସିବା ବହୁମାତ୍ରାରେ କମିଥିବା ବେଳେ ପଜିଟିଭ୍ ମାମଲା ବଢୁଛି। ହୋମ କ୍ୱାରେଣ୍ଟାଇନ ନିୟମର ଖୋଲା ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉପସ୍ଥିତ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ପଞ୍ଚାୟତରେ ଖୁବ୍ ଶୀଘ୍ର କୋଭିଡ କେୟାର ହୋମ ଖୋଲାଯିବ।ସେଠାରେ ଥଣ୍ଡା,କାଶ ଓ ଜ୍ଵର ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ରଖାଯିବ। ସେମାନଙ୍କର ନମୁନା ପରୀକ୍ଷା ପରେ ଯଦି ପଜିଟିଭ୍ ଆସେ ତେବେ ତାଙ୍କୁ କୋଭିଡ ହସ୍ପିଟାଲ୍ ପଠାଯିବ।ଏଥିପାଇଁ ଘର ଘର ବୁଲି ସର୍ଭେ କାମ ଚାଲୁରହିିଥିବା ସେ କହିଥିଲେ।ପ୍ରତି ପଞ୍ଚାୟତ ସ୍ତରରେ ଖୁବଶିଘ୍ର ତାଲିମ ପ୍ରାପ୍ତ କୋଭିଡ ନିୟନ୍ତ୍ରଣ ସହାୟକ ମାନଙ୍କୁ ନିଯୁକ୍ତି ଦିଆଯିବ।ଅନୁରୂପ ଭାବେ ଅନ୍ୟତମ ରୋଜଗାର ଭିତ୍ତିକ ଏମ୍ଏନ୍ଆର୍ ଇଜିଏସ ଭଳି ବିଭିନ୍ନ ଯୋଜନା ରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ। ଚାଷୀଙ୍କୁ ଆବଶ୍ୟକ ବିହନ , ସାର, କୀଟ ନାଶକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବା ସହ ସମବାୟ ବ୍ୟାଙ୍କ ମାନଙ୍କରୁ କୃଷି ଋଣ ପ୍ରଦାନ କରାଯିବ।କୃଷି ବିଭାଗ ଅଧିକାରୀ ମାନେ ସରପଞ୍ଚ ମାନଙ୍କ ସହ ଯୋଗାଯୋଗ କରି ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଶେଷରେ ସମସ୍ତେ ସୁରକ୍ଷିତ ରହିବା ସହ କୋଭିଡ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସହଯୋଗ କରିବାକୁ କହିଥିଲେ।ସଭାରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ,ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର,ବିଡ଼ିଓ ହଳଧର ଶବର, ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ଳକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା, ଆଇ ଆଇ ସି ବସନ୍ତ କୁମାର ସେଠୀ,ସିଡିପିଓ ଯଶୋବନ୍ତି ସାହୁ,ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ହରିବନ୍ଧୁ ରେଡ୍ଡୀ, ଶିବରାମ ପ୍ରଧାନ, ପିତାମ୍ବର ଗୌଡ,ଭୀମସେନ ସାହୁ,ଉସନ୍ତ ସାହୁ,ଭଗବାନ ବାଡତ୍ୟା,ଅସିତ ସାହୁ,ସରୋଜ କୁମାର ଜେନା, ରବିଚନ୍ଦ୍ର ଗୌଡ,ଉମାକାନ୍ତ ବିଷୋୟୀ, କୁରେଶୁ ସେଠୀ, ସୂର୍ଯ୍ୟ ନାରାୟଣ ସାହୁ, ଏସ. ଗାନ୍ଧୀ, ଜିଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ