ହିଞ୍ଜିଳି ବ୍ଳକରେ ଘନଉଛି କରୋନା ସଂକ୍ରମଣ: ଗାଁ ଗାଁରେ ଚାଲିଛି ବ୍ୟାରିକେଡ଼୍ ନିର୍ମାଣ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ସଂକ୍ରମିତ ଜିଲ୍ଲା ମଧ୍ୟରେ ୧୦ଟି ଜିଲ୍ଲାର ସ୍ଥିତି ଅସମ୍ଭାଳ ଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏ ସମସ୍ତ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ଓ ୩ୟ ସ୍ଥାନରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀ ମାନଙ୍କ ଫେରିବା ପରେ ରୋଡ଼୍ ଜୋନରେ ପରିଣତ ହୋଇଛି । ଗୁରୁବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୮୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୯୦ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ୭୪୪ ଜଣ ଚିକିିତ୍ସିତ ହେଉଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ଘନଉଛି କରୋନା ଭୁତାଣୁ ସଂକ୍ରମଣ । ପ୍ରଥମେ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ବଢିବାରେ ଲାଗିଛି । ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାର ଉଚିତ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସ୍ଥାନୀୟ ବ୍ଳକ ରାଳବ ଗ୍ରାମ ପଂଚାୟତ ଆଲପୁର ଗ୍ରାମର ବାପା ଓ ପୁଅ କରୋନା ପଜିଟିଭ ଜଣାପଡ଼ିବା ପରେ ସଂପୃକ୍ତ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ଜୁନ ମାସ ୨୮ ତାରିଖରେ ସଂପୃକ୍ତ ଗ୍ରାମର ଜଣେ ଯୁବକ ଜିତେନ୍ଦ୍ର ପୋଲାଇ (୩୦) ଜ୍ଜରରେ ପିଡ଼ିତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିିତ୍ସାଧିନ ସମୟରେ ୨୯ ତାରିଖରେ ମୃତ୍ୟୁ ବରଣ କରିଥିଲେ । ପରିବାର ସଦସ୍ୟ ମୃତକଙ୍କ ଶବକୁ ଆଣି ଗ୍ରାମ ଶ୍ମଶାନରେ ଦାହ କରିଥିଲେ । ଶବ ସତ୍କାର କରିବାକୁ ଯାଇଥିବା ଶତାଧିକଙ୍କ ମଧ୍ୟରୁ ୨ଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ଆକ୍ରାନ୍ତ ବାପା ଓ ପୁଅଙ୍କୁ ସ୍ଥାନୀୟ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଇଛି । ସଂପୃକ୍ତ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଶୁକ୍ରବାର ସଂପୃକ୍ତ ଗ୍ରାମର ୭ଟି ପ୍ରବେଶ ପଥକୁ ବାଉଁଶ ବାଡ଼ କରାଯାଇ ସିଲ୍ କରାଯାଇଛି । ଘଟଣା ନେଇ ବିଡ଼ିଓ ପ୍ରସନ କୁମାର ପାତ୍ରଭ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଘଟଣା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।


