ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର,(ୱାଇଏନଏସ): ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ, ସ୍ୱଚ୍ଛ ଓ ସମୟବଦ୍ଧ ନିରାକରଣ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଶିବିରରେ ସର୍ବମୋଟ ୩୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୮ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୮ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୨ଟି ଅଭିଯୋଗର ସ୍ଥଳରେ ତତ୍କାଳ ସମାଧାନ କରାଯାଇଥିଲା। ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ପ୍ରତ୍ୟେକ ଅଭିଯୋଗ ଗୁଡ଼ିକର ନିୟମାନୁଯାୟୀ ଯାଞ୍ଚ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ ନିରାକରଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ସେହିପରି, ପୋଲିସ ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ କରିଥିଲେ ।ଅଭିଯୋଗଗୁଡ଼ିକର ଆବଶ୍ୟକ ଯାଞ୍ଚ କରି ନିୟମାନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଜନ ଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣ ନିଜର ବ୍ୟକ୍ତିଗତ, ସାମୂହିକ ଓ ଗ୍ରାମ୍ୟ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ସିଧାସଳଖ ଅଭିଯୋଗ ଉପସ୍ଥାପନ କରିଥିଲେ। ଅଭିଯୋଗଗୁଡ଼ିକର ଶୁଣାଣି ସହିତ ସମ୍ପୃକ୍ତ ବିଭାଗ ମାଧ୍ୟମରେ ନିୟମାନୁଯାୟୀ ତ୍ୱରିତ ନିରାକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।


