ଏଆଇଟିୟୁସିର ଗଞ୍ଜାମ ଜିଲ୍ଲା ସମ୍ମିଳନୀ
ଆସିକା (ୱାଇଏନ୍ଏସ୍): ଅଖିଳ ଭାରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସ (ଏଆଇଟିୟୁସି)ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ମା ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ଆଇନଜୀବି ବିଦେଶୀ ନାହାକ ଓ ଶ୍ରମିକ ନେତା ରାଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏଆଇଟିୟୁସିର ଏହି ଗଞ୍ଜାମ ଜିଲ୍ଲା ସମ୍ମିଳନୀରେ ବରିଷ୍ଠ ନେତା ପ୍ରଶାନ୍ତ ପାଟ୍ଟଯୋଶୀ, ପ୍ରବୀଣ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ବରାଡ, ପ୍ରଦୀପ ସେଠୀ, ନୀଳକଣ୍ଠ ଦାଶ, ମହେଶ୍ୱର ରାଉତ, ବିଜୟ କୁମାର ଜେନା, ସମୀର କୁମାର ପ୍ରଧାନ, କାମେଶ୍ୱର ନାହାକ, ଦାମୋଦର ସିୟଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ବିରୋଧୀ ଓ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସାଙ୍ଗକୁ ପାଚିକା ଓ ସହାୟିକାମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ମାସିକ ଦରମା ୨୬ ହଜାର ଟଙ୍କା ପ୍ରଦାନ କରିବା, ଆସିକା ସମବାୟ ଚିନିଶିଳ୍ପର ଏନ୍ଏମ୍ଆର୍ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା, ଶ୍ରମିକ ବିରୋଧୀ ୪ ଶ୍ରମ କୋର୍ଡକୁ ବାତିଲ୍ କରିବା, ଘରୋଇକରଣ ବନ୍ଦ କରିବା, ଅସ୍ଥାୟୀ ଓ ଠିକା ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା, ଆଉଟସୋର୍ସିଂ ପନ୍ଥା ବନ୍ଦ କରି ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସାମାଜିକ ଭତ୍ତା ଏବଂ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଅଖିଳ ଭାରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ଜିଲ୍ଲା ସମ୍ମିଳନୀ ଅବସରରେ ସ୍ଥାନୀୟ କଳିଙ୍ଗ ରୋଡ ସ୍ଥିତ ରାଜସ୍ୱ ବିଭାଗ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଲକ୍ଷ୍ମୀବଜାର, ବିନାୟକ ବଜାର, ଅଶୋକ ସିନେମା ରୋଡ, ହାଟପଦା, ଖମ୍ବେଶ୍ୱରୀପାଟଣା ସମେତ ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ସିପିଆଇର ରାଜ୍ୟ ପରିଷଦ ସଦସ୍ୟ ସାଥୀ ପ୍ରକାଶ ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇଟିୟୁସି ପତାକାକୁ ଉତ୍ତୋଳନ କରିବା ସାଙ୍ଗକୁ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଅଖିଳ ଭାରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ଗଞ୍ଜାମ ଜିଲ୍ଲା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ନେତା କୈଳାଶ ଚନ୍ଦ୍ର ପଟ୍ଟନାୟକ, ତ୍ରିନାଥ ବେହେରା, ଦାମୋଦର ସିୟ, ଭଗବାନ ବେହେରା, ତ୍ରିଲୋଚନ ଗୌଡ, ସନ୍ତୋଷ କୁମାର ଗୌଡ, ନୀଳମଣି ନାହାକ, ଟୁନା ବେହେରା, ତପନ କୁମାର ସ୍ୱାଇଁ, ଚାପଧର ରାଉତ, ବୃନ୍ଦାବନ ମହାନ୍ତିଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏଆଇଟିୟୁସି ଅନୁବନ୍ଧିତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


