ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ
ମୁମ୍ବାଇ, ରବିବାର ସକାଳେ ହୋଇଥିବା ମୂଷଳଧାରାରେ ବର୍ଷା ଯୋଗୁଁ ମୁମ୍ବାଇ ସହର ଏବଂ ଆଖପାଖର କେତେକ ସ୍ଥାନରେ ଜଳମଗ୍ନ ହୋଇଛି । ପାଣିପାଗ କାର୍ଯ୍ୟାଳୟ ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦେଇଛି । ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ରବିବାର ସକାଳଠାରୁ ଅନ୍ଧେରୀରେ ୪୪ ମି.ମି., ବିଲେପାର୍ଲେ, ବିକ୍ରୋଲି ଆଦି ସ୍ଥାନରେ ୪୩ ମି.ମି. ବର୍ଷା ହୋଇଛି । ଏହିପରି ସହରର ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ଏଥିରେ ମୁମ୍ବାଇର ହିନ୍ଦମାତା, ବିଲେପାର୍ଲେ, ଅନ୍ଧେରୀ, ମରୋଳ ଆଦି ସ୍ଥାନରେ ଜଳମଗ୍ନ ହୋଇଛି । ସହରର ୫-୬ ସ୍ଥାନରେ ସର୍ଟ ସର୍କିଟକୁ ଛାଡ଼ିଦେଲେ ଆଉ ସେମିତି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରେ ଜଳ ଜମିବା ଯୋଗୁଁ କେତେକ ସ୍ଥାନରେ ଟ୍ରାଫିକ ଜାମ ହୋଇଥିଲା । ବାନ୍ଦ୍ରା ନେସନାଲ କଲେଜ ଓ ଏସବି ରୋଡ଼, ଲିଙ୍କିଙ୍ଗ ରୋଡ଼ ସ୍ଥାନରେ ଅଧିକ ଜଳ ଯୋଗୁଁ ବସର ମାର୍ଗ ପରିବର୍ତନ କରାଯାଇଛି । ମୁମ୍ବାଇ ସହରର ମୁଖପାତ୍ର ବିଜୟ ଖୱାଲେ କହିଛନ୍ତି କି ତଳ ଅଂଚଳରୁ ପମ୍ପ ଲଗାଇ ଜଳ ନିଷ୍କାସନ ଜାରି ରହିଛି । ସମସ୍ତ ନାଳର ମୁଖ୍ୟ ହୋଲକୁ ଖୋଲିଦିଆଯାଇଛି । ଜନସାଧାରଣଙ୍କୁ କେବଳ ଅତ୍ୟାବଶ୍ୟକ କାମ ପାଇଁ ଘରୁ ବାହାରକୁ ବାହାରିବା ପାଇଁ କୁହାଯାଇଛି । ମୁମ୍ବାଇ ସହ ଉପନଗର, ଠାଣେ, ନୂଆ ମୁମ୍ବାଇ, ବସଇ ବିରାର ଆଦି ସ୍ଥାନ ଆଦି ବର୍ଷା ଯୋଗୁ ପ୍ରଭାବିତ ହୋଇଛି । କିନ୍ତୁ ଲକ୍ଡାଉନ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଅତ୍ୟାବଶ୍ୟକ ସେବା ପାଇଁ ବାହାରୁଥିବା ଲୋକମାନଙ୍କୁ ପ୍ରବଳ ବର୍ଷା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।


