ରାଜସ୍ୱ ବିଭାଗର ଦୁଇଟି ବୋର୍ଡର ମିଶ୍ରଣ ହୋଇନି
ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଓ ବହିଃଶୁଳ୍କ ବୋର୍ଡର ମିଶ୍ରଣ ନେଇ ସରକାର ଚିନ୍ତା କରୁଥିବା ଏକ ଖବର ଆଜି ୦୬.୦୭.୨୦୨୦ କେତେକ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଏହି ଖବର ତଥ୍ୟ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ଓ କେନ୍ଦ୍ର ରାଜସ୍ୱ ବୋର୍ଡ ଆଇନ ୧୯୬୩ ବଳରେ ସୃଷ୍ଟି କରାଯାଇଥିବା ଦୁଇଟି ବୋର୍ଡର ମିଶ୍ରଣ ନେଇ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ । ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ନିକଟରୁ ତଥ୍ୟ ସମ୍ପର୍କରେ କୌଣସି ତଦନ୍ତ ନକରି ଏହା ଛପା ଯାଇଛି । ଅର୍ଥ ମନ୍ତ୍ରଣାଳୟ କରଦାତାଙ୍କୁ ସୁହାଇବା ଭଳି ସଂସ୍କାରମୂଳକ ପଦକ୍ଷେପ ନେଉଥିବା ତଥା ଅଧିକାଂଶ କର ଦେୟ ପଦ୍ଧତିକୁ ଅନଲାଇନ ଦ୍ଵାରା କରୁଥିବା ବେଳେ ଏଭଳି ଖବର ମନ୍ତ୍ରଣାଳୟର ନୀତି ବିରୁଦ୍ଧ । ଖବରରେ ଆହୁରି ଦର୍ଶାଯାଇଛି ଯେ, ଟିକସ ସଂସ୍କାର ପ୍ରଶାସନିକ ଆୟୋଗ ଟିଏଆରସି ଦେଇଥିବା ଗୋଟିଏ ସୁପାରିଶକୁ ଭିତ୍ତିକରି ଏଭଳି ନିଷ୍ପତ୍ତି ନିଆଯାଇଛି । ଟିଏଆରସି ଦେଇଥିବା ତଥ୍ୟ ସରକାରଙ୍କ ଦ୍ଵାରା ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରାଯାଇଛି ଓ ସରକାର ଏହାର ସୁପାରିଶକୁ ଗ୍ରହଣ କରିନାହାନ୍ତି । ସଂସଦରେ ହୋଇଥିବା ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସରକାର ୨୦୧୮ ମଧ୍ୟ ସ୍ପଷ୍ଟିକରଣ ରଖିଛନ୍ତି ଏବଂ ଏପରିକି ଟିଏଆରସିର ସୁପାରିଶ ଉପରେ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜସ୍ୱ ବିଭାଗର ୱେବସାଇଟରେ ସ୍ଥାନିତ ହୋଇ ସରକାର ସୁପାରିଶକୁ ଆଦୌ ଗ୍ରହଣ କରିନାହାନ୍ତି ବୋଲି ସ୍ପଷ୍ଟଭାବେ ଦର୍ଶାଯାଇଛି । ଯାହା ଜଣାପଡୁଛି ଏଭଳି ଭିତ୍ତିହୀନ ଖବର କୌଣସି ସରକାରୀ ଦସ୍ତାବିଜରୁ ଅନୁଶୀଳନ ନକରାଯାଇ ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ ନକରି ଛପା ଯାଇଛି । ଏହା ନିମ୍ନମାନର ସାମ୍ବାଦିକତା ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ବିନା କରାଯାଇଛି । ଯଦି ଏଭଳି ତଦନ୍ତ ବିହୀନ ଖବର ପ୍ରଥମ ପୃଷ୍ଠାରେ ସ୍ଥାନିତ ହୁଏ ତା’ହେଲେ ଏହା ପାଠକମାନଙ୍କ ନିମନ୍ତେ ଏକ ସଂବେଦନଶୀଳ ବିଷୟ । ଏହି ଖବର ସଂପୂର୍ଣ୍ଣ ରୂପେ ଭିତ୍ତିହୀନ, ଅମୂଳକ ଓ ବର୍ଜନୀୟ ବୋଲି କୁହାଯାଇଛି ।


