ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
ନୂଆଦିଲ୍ଲୀ:କୋଭିଡ-୧୯ ର ଚିକିତ୍ସା ଦିଗରେ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ଲାଜମାର ଆବଶ୍ୟକତା ବୃଦ୍ଧି ପାଇଛି । ଏହି କ୍ରମରେ ପ୍ଲାଜମା ଦାନ କରିବା ଲାଗି ଆଗେଇ ଆସିଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ନିଜର ପ୍ଲାଜମା ଦାନ କରିଛନ୍ତି । ଏହି ସମୟର ଫଟୋ ସେ ଟ୍ୱିଟ କରିଛନ୍ତି । ଟ୍ୱିଟର ବାର୍ତ୍ତାରେ ସେ ଲେଖିଛନ୍ତି ‘ତାଙ୍କ ଭଳି ବହୁ ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଅନ୍ୟ ସଂକ୍ରମିତଙ୍କ ଜୀବନ ରକ୍ଷା ନିମନ୍ତେ ଏହି ଆରୋଗ୍ୟ ବ୍ୟକ୍ତିମାନେ ନିଜର ପ୍ଲାଜମା ଦାନ କରିବା ଆବଶ୍ୟକ । ଦେଶବାସୀଙ୍କ ଜୀବନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ । ସିନ୍ଧିଆଙ୍କ ଏହି ଟ୍ୱିଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟ୍ୟାଗ କରାଯାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆ ଜୁନ ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।


