ହିତାଧିକାରୀଙ୍କୁ ମିଳୁନି ରାସନ୍ ସାମଗ୍ରୀ ଦୟନୀୟ ଅବସ୍ଥାରେ କଟୁଛି ଦିନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଏରଝାଟିଆ ଗ୍ରାମର ବାସନ୍ତୀ ଜେନାଙ୍କୁ ରାସନ ସାମଗ୍ରୀ ମିଳୁନଥିବା ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ କହିବା ଅନୁଯାୟୀ ଗତ ସେପ୍ଟେମ୍ବର ୨୦୧୯ ଠାରୁ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ମୋଟ ୫ ମାସର ରାସନ୍ ସାମଗ୍ରୀ ସେ ପାଇନାହାନ୍ତି । ଯାହାକି ତାଙ୍କ ରାସନ୍ ଖାତାରୁ ଦେଖିବାକୁ ମିଳିଛି । ସଂପୃକ୍ତ ହିତାଧିକାରୀଙ୍କ ରାସନ କାର୍ଡ ନଂ-୦୪୦୪୧୪୧୧୩୦୫ ହୋଇଥିବା ବେଳେ ପରିବାରର ଦୁଇ ଜଣ ସଦସ୍ୟ ଅଛନ୍ତି । ଗତ ଫେବୃଆରୀ ଓ ମାର୍ଚ୍ଚ ୨ ମାସରେ ତାଙ୍କୁ ୨୦ କିଗ୍ରା ଚାଉଳ ମିଳିଥିଲା । ସେହିପରି କୋଭିଡ୍ ୧୯ ପାଇଁ ତାଙ୍କୁ ରାସନ୍ କାର୍ଡରେ ଜଣଙ୍କର ସାମଗ୍ରୀ ମିଳିଥିବା ସେ କହିଛନ୍ତି । ସେ ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ପରର ମୂଳ ମଜୁରୀ ଲାଗି ପେଟ ପୋଷନ୍ତି । କରୋନା କଟକଣା ଯୋଗୁ କାମଧନ୍ଧା ବନ୍ଦ ହୋଇଯାଇଥିବାରୁ ଏବେ ଭୋକ ଉପାସରେ ଦିନ କାଟୁଥିବା ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।


