ଛାତ୍ରଛାତ୍ରୀଙ୍କୁ ଆପ୍‌ ୟୁଜରରୁ ଆପ୍‌ ମେକର କରିବା ଲକ୍ଷ୍ୟ

ନୂଆଦିଲ୍ଲୀ : ଦେଶରେ ମୋବାଇଲ ଆପ୍‌ ବିକାଶ କ୍ଷେତ୍ରରେ ନବସୃଜନର ଏକ ବାତାବରଣ ସୃଷ୍ଟି କରିବା ପାଇଁ ନୀତି ଆୟୋଗର ଅଟଳ ଇନୋଭେସନ୍‌ ମିଶନ ପକ୍ଷରୁ ଆଜି ଏଟିଏଲ୍‌ ଆପ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲ ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନର ଏହା ଏକ ଅଂଶବିଶେଷ । ଭାରତୀୟ ଷ୍ଟାର୍ଟଅପ୍‌ ପ୍ଲେଜମ ସହାୟତାରେ ଏହି ମଡ୍ୟୁଲ ଆରମ୍ଭ ହୋଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆପ୍‌ ବ୍ୟବହାରକାରୀରୁ ସମୟକ୍ରମେ ଅଭିନବ ଆପ୍‌ ନିର୍ମାତା କରିବା ଲକ୍ଷ୍ୟରେ ଏହି ମଡ୍ୟୁଲ ଆରମ୍ଭ କରାଯାଇଛି । ଏହି ପିଲାମାନେ ଅଟଳ ଟିଂକରିଂ ଲ୍ୟାବ୍‌ ଇନିସିଏଟିଭ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଆପ୍‌ ନିର୍ମାଣ କାର୍ଯ୍ୟ ଶିଖିବେ । ଏହି ମଡ୍ୟୁଲ ଉପରେ ନିଜର ମତାମତ ପ୍ରକାଶ କରି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି ଯେ କରୋନା ମହାମାରୀ ବିଭିନ୍ନ କ୍ଷେତ୍ରରେ ବଡ ବ୍ୟାଘାତ ସୃଷ୍ଟି କରିଛି । ତାହାକୁ ଦୂର କରିବା ପାଇଁ ଟେକ୍‌ନୋଲଜିର ବ୍ୟବହାର କରାଯାଇ ସମସ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି । ସେ କହିଛନ୍ତି ଯେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ଆତ୍ମନିର୍ଭର ଭାରତ ଗଠନ ପାଇଁ ନୂଆ ଟେକ୍‌ନୋଲଜିର ବ୍ୟବହାର ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ତରୁଣ ବୟସରେ ପିଲାଏ ଦକ୍ଷତା ଓ କୌଶଳ ହାସଲ କଲେ ପରବର୍ତ୍ତୀ ପିଢିର ଟେକ୍‌ନୋଲଜିର ନେତୃତ୍ୱ ସେମାନେ ନେଇପାରିବେ । ଅଟଳ ଟିଂକରିଂ ଇନିସିଏଟିଭ ଏମ୍‌ ନୀତିଆୟୋଗ ମିଳିତଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି ଏବଂ ଏହା ଆରମ୍ଭ ହେବା ଗର୍ବ ଓ ଗୌରବର ବିଷୟ । ଯୁବ ଭାରତୀୟଙ୍କ ମସ୍ତିଷ୍କରେ ବିଶେଷକରି ପିଲାମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପଡିବ । ଏଟିଏଲ୍‌ ଆପ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲ ଏକ ଅନ୍‌ଲାଇନ ପାଠ୍ୟକ୍ରମ । ଏହା ବିନା ମୂଲ୍ୟରେ ଉପଲବ୍‌ଧ । ଏଥିରେ 6ଟି ପ୍ରକଳ୍ପଭିତ୍ତିକ ଲର୍ଣ୍ଣିଂ ମଡ୍ୟୁଲ ବା ଶୈକ୍ଷିକ ଢାଞ୍ଚା ତଥା ଅନ୍‌ଲାଇନ୍‌ ମେଣ୍ଟରିଂ ସେସ୍‌ନ ରହିଛି । ଯୁବ ଇନୋଭେଟରମାନେ ଏହା ମାଧ୍ୟମରେ ବିଭିନ୍ନ ଭାରତୀୟ ଭାଷାରେ ମୋବାଇଲ ଆପ୍‌ ତିଆରି କରିବା ଶିଖିପାରିବେ ଏବଂ ଏଥିରେ ସେମାନଙ୍କର ପ୍ରତିଭାକୁ ଦେଖାଇପାରିବେ । ଆହୁରି ମଧ୍ୟ ସ୍କୁଲ ଶିକ୍ଷକ, ସାମୟିକ ଶିକ୍ଷକମାନଙ୍କୁ ନେଇ ମଝିରେ ମଝିରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ । ତାହା ମାଧ୍ୟମରେ ପିଲାଏ ନିଜର ଦକ୍ଷତା ଓ କୌଶଳ ବିକାଶ କରିପାରିବେ । ମଡ୍ୟୁଲର ଭର୍ଚୁଆଲ ଲଞ୍ଚିଂ ଅବସରରେ ଅଟଳ ଇନୋଭେସନ୍‌ ମିଶନର ନିର୍ଦେଶକ ଆର. ରମଣନ କହିଛନ୍ତି ଯେ ଆମ ଦେଶର ବିପୁଳ ଲୋକଶକ୍ତିକୁ ବିନିଯୋଗ କରି ଆମକୁ ବିଶ୍ୱଶ୍ରେଣୀୟ ଟେକ୍‌ନୋଲଜି ସୂତ୍ର ବାହାର କରିବାକୁ ପଡିବ ଏବଂ ଏଥିପାଇଁ ନୂଆ ନୂଆ ଆପ୍‌ ବିକଶିତ କରିବାକୁ ହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଆପ୍‌ ଇନୋଭେସନ ଆହ୍ୱାନ ଏହି କାର୍ଯ୍ୟକ୍ରମକୁ ଅନୁପ୍ରାଣିତ କରିଛି । ଏହା ମାଧ୍ୟମରେ ଯୁବ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏବଂ ଉଦ୍ୟୋଗିକ କ୍ଷେତ୍ରରେ ଏହାର ଉପଯୋଗ କରିବାକୁ ସୁଯୋଗ ପାଇଛନ୍ତି । ସେ କହିଛନ୍ତି ଯେ ନୀତି ଆୟୋଗ ଏଥିପାଇଁ ଏକ ଅତ୍ୟାଧୁନିକ ପ୍ଲାଟଫର୍ମ ନିର୍ମାଣ କରିଛି । ଏହା ମାଧ୍ୟମରେ ସାରା ଦେଶର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶେଷ ଟେକ୍‌ନୋଲଜି ସଂପର୍କରେ ଜ୍ଞାନ ଅର୍ଜନ କରିବା ସହିତ ସେଗୁଡିକର ପ୍ରୟୋଗ ପାଇଁ ସୁଯୋଗ ପାଇବେ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ, ଗେମ୍‌ ଡିଜାଇନ ଓ ବିକାଶ, ଥ୍ରିଡି ଡିଜାଇନ, ଡିଜିଟାଲ କ୍ରିଏଟିଭିଟି ସ୍କିଲ୍‌ ଓ ଆଷ୍ଟ୍ରୋନମି ଆଦି ପାଠ୍ୟକ୍ରମ ରହିଛି । ନିଜ ନିଜ ଘରେ ବସି ଛାତ୍ରଛାତ୍ରୀ ଓ ଶିକ୍ଷକଗଣ ଆରାମରେ ଏହା ଶିଖିପାରିବେ । ସେ କହଛନ୍ତି ଯେ ଏଟିଏଲ ଆପ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲକୁ କାର୍ଯ୍ୟକାରୀ କରିବା ନୀତି ଆୟୋଗ ପାଇଁ ଏକ ବଡ଼ ଗୌରବର ବିଷୟ । ମେକ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ଉଦ୍ୟମ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ଲେଜ୍‌ମୋର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମୋଲ ପଳସିକର କହିଛନ୍ତି ଯେ କୃଷି ଓ ଶିଳ୍ପ ବିପ୍ଳବ ପରେ ବିଶ୍ୱ ଅର୍ଥନୀତି ଏବେ ଟେକ୍‌ନୋଲଜି ବିପ୍ଳବ ଦ୍ୱାରା ନୂଆ ରୂପ ନେଉଛି । ତାଙ୍କ ସଂସ୍ଥାର ଲକ୍ଷ୍ୟ ହେଲା ଏକବିଂଶ ଶତାବ୍ଦୀରେ ସବୁ ଲୋକଙ୍କୁ କୋଡିଂ, କମ୍ପ୍ୟୁଟେସନାଲ ଥିଙ୍କିଂ, ପ୍ରବଲ୍‌ମ ସଲ୍‌ଭିଂ, ଡିଜାଇନ ଥିଙ୍କିଂ ଆଦି ବିଭିନ୍ନ ପ୍ରକାର ବୈଷୟିକ କୌଶଳ ଓ ଜ୍ଞାନ ସହ ପରିଚିତ ତଥା ସିଦ୍ଧହସ୍ତ କରିବା । ଆମ ଯୁବ ଛାତ୍ରମାନେ ଟେକ୍‌ନୋଲଜି ଦୃଷ୍ଟିରୁ କୌଶଳୀ ଓ ସଶକ୍ତ ହେଲେ ଭାରତ ବିଶ୍ୱର ଏକ ଟେକ୍‌ନୋଲଜି ସୁପର ପାୱାରରେ ପରିଣତ ହେବ ଏବଂ ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ । ଏ ପର୍ଯ୍ୟନ୍ତ ୫,୧୦୦ରୁ ଏଟିଏଲ୍‌ ବା ଅଟଳ ଟିଂକରିଂ ଲ୍ୟାବ ଦେଶର ୬୬୦ଜିଲାରେ ସ୍ଥାପନ ହୋଇସାରିଛି । ଅଟଳ ଇନୋଭେସନ ମିଶନ ଜରିଆରେ ପରିଚାଳିତ ହେଉଥିବା ଏହିସବୁ ଅନୁଷ୍ଠାନରେ ୨୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଟିଂକରିଂ ଲ୍ୟାବ୍‌ର ସୁବିଧା ନେଉଛନ୍ତି । ଇନ୍‌କ୍ୟୁବେଟର, ଷ୍ଟାର୍ଟଅପ୍‌, କମ୍ୟୁନିଟି ଇନୋଭେସନ ସେଣ୍ଟର ଏବଂ ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜସ୍‌ ଆଦି କ୍ଷେତ୍ରରେ ନବସୃଜନ, ଟେକ୍‌ନୋଲଜି ପ୍ରୟୋଗ ଆଦି ପାଇଁ ଏସବୁ ଲ୍ୟାବ୍‌ ସହାୟକ ହୋଇପାରିବ । ଏହାଫଳରେ ଦେଶର ସାମାଜିକ, ଆର୍ଥିକ ଅଭିବୃଦ୍ଧି ସମ୍ଭବ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ