ଦେବୀନଦୀର ଏରେଡା ବାଲିଘାଟ ନିକଟରୁ ବେଆଇନ ବାଲି ଉଠାଣ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ
ନାଉଗାଁ,(ଓ୍ବାଇଏନ୍ଏସ୍) : ତହସିଲ ଅଧିନ ଗଳଦାରୀ ପଂଚାୟତସ୍ଥିତ ଦେବୀନଦୀର ଏରେଡା ବାଲିଘାଟ ନିକଟରୁ ବେଆଇନ ବାଲି ଉଠାଣକୁ ନେଇ ତହସିଲ ପକ୍ଷରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି । ମିଳିଥିବା ସୁଚନାନୁଯାୟୀ ଏରେଡା ବାଲିଘାଟ ନିଲାମଧାରୀ ଚୁକ୍ତି ଅନୁସାରେ ୨୦୧୫ ମସିହା ଠାରୁ ଏରେଡା ବାଲିଘାଟରୁ ବାଲି ଉତୋଳନ କରିଆସୁଥିଲେ । ୨୦୨୦ରେ ମାର୍ଚ୍ଚ ମାସରେ ନିଲାମ ଅବଧି ସରିଯାଇଥିବା ବେଳେ ଲକ ଡାଉନ ପାଇଁ ନିଲାମ ପ୍ରକିୟା ବନ୍ଦ ରହିଥିବା ହେତୁ ବାଲି ଉତୋଳନ ଅବଧିକୁ ସେପ୍ଟେମ୍ବର ମାସ ଯାଏ ବୃଦ୍ଧି କରାଯାଇଛି । ଏବେ ଦେବୀ ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଏରେଡା ବାଲିଘାଟରୁ ବାଲି ଉତୋଳନ ସମ୍ଭବ ହେଉନାହିଁ । ଯାହାଫଳରେ ବାଲିଘାଟ ନିଲାମଧାରୀ ବାଲି ଉତୋଳନ କରିବା ପାଇଁ ନିଜ ସୀମା ବାହାରୁ ବାଲି ଉତୋଳନ କରୁଥିବା ଜଣାଯାଇଛି । ଅନ୍ୟପଟରେ ନାଉଗାଁ ତହସିଲଦାର ଜେ.କଳ୍ପନା ଓ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ବିଶେଷ ସୂତ୍ରରୁ ଶନିବାର ସୂଚନା ପାଇଁ ଉକ୍ତ ବାଲିଘାଟ ଉପରେ ଚଢାଉ କରିଥିଲେ । ଏହି ଚଢାଉ ସମୟ ନିଲାମଧାରୀ ନିଜ ପରିସିମା ବାହାରେ ବାଲି ଉତୋଳନ କରୁଥିବା ଦେଖିବାକୁ ପାଇଥିଲେ । ଫଳରେ ଏହା ବାବଦକୁ ୨ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।


