ଅନୁଗୋଳ ପୌରପାଳିକାର ସ୍ଲମ ହସ୍ପିଟାଲ କାହା ସ୍ୱାର୍ଥରେ ?

ଅନୁଗୋଳ,(ଯୁଗାବ୍ଦ ନ୍ୟୁଜ): ଅନୁଗୋଳ ସହରରେ ଅନେକ ଦିନରୁ ପୌର ପାଳିକା କାର୍ଯ୍ୟ କରିଆସୁଥିବା ବେଳେ ସାଧାରଣ ଜନତାଙ୍କୁ ମୌଳିକ ସେବା ଯୋଗାଇବାରେ ଅନେକାଂଶରେ ବିଫଳ ହେଉଥିବା ପ୍ରତୀୟମାନ ହେଉଛି । ସହରର ପରିଷ୍କାର ପରିଚ୍ଛନ୍ନ ସତେ ଯେପରି ଉପହାସ କରୁଛି, ସାଧାରଣ ଅଧିବାସୀଙ୍କୁ । ଅନେକ ସମୟରେ ସହରର ନାଳ ନର୍ଦମାକୁ ନେଇ ସହରକୁ ଆସୁଥିବା ବାହାର ଲୋକଟିଏ ଭୃକୁଂଚନ କରୁଥିବା ଦେଖାଯାଏ । ମାଳ ମାଳ ବିଜ୍ଞାପନରେ ସହର ଖୁନ୍ଦି ହୋଇ ରହିଥିଲେ ମଧ୍ୟ ପୌରପାଳିକାର ସେଭଳି ଆଖି ଦୃଶିଆ ପଦକ୍ଷେପ କେବେ ବି ଆମ ନଜରକୁ ଆସିନାହିଁ । ସହରର ସବୁଠାରୁ ମୂଖ୍ୟ ସମସ୍ୟା ସ୍ୱାସ୍ଥ୍ୟ, ସେ ଦିଗରେ ବି ପୌରପାଳିକା ଆଦୌ ସଚେତନ ଥିବା ଭଳି ଜଣା ପଡେନାହିଁ । ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ଛାଡି ଦେଲେ, ଅନୁଗୋଳବାସୀଙ୍କ ପାଇଁ ରୋଗୀଟିଏ ସଂପୁର୍ଣ୍ଣ ଘରୋଇ ଚିକିତ୍ସା ଉପରେ ନିର୍ଭର କରିବାକୁ ପଡେ । ଏପରିକି ଜ୍ୱର ମୁଣ୍ଡବ୍ୟଥା ବା ସାମାନ୍ୟ ଖଣ୍ଡିଆଖାବରା ହେଲେ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଧାଡି ଦେବାକୁ ପଡେ ତ ନହେଲେ ବାହାରେ ଘରୋଇ ଡାକ୍ତରଙ୍କ ଚକ୍ରବ୍ୟୁହରେ ପଡିବାକୁ ବାଧ୍ୟ ହୁଏ । ସହର ଭିତରେ କୌଣସି ନର୍ସିଂ ହୋମ ମାନ୍ୟତା ପ୍ରାପ୍ତ ଘରୋଇ ଚିକିତ୍ସାଳୟ ନ ଥିବା ବେଳେ ଯେଉଁ ନାମକୁ ମାତ୍ର ନର୍ସିଂହୋମ ସବୁ ସହର ମଧ୍ୟରେ ରହିଛି, ସେଠାରେ ସାଧାରଣ ନାଗରିକଟିଏ ସହଜରେ ଚିକିତ୍ସା ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ନତୁବା ସେମାନଙ୍କ ଦ୍ୱାରା ଶୋଷଣ ହେଉଥିବାର ବହୁ ନଜିର ରହିଛି । ଏସବୁକୁ ଆଖି ଆଗରେ ରଖି ପୌରପାଳିକା ମଧ୍ୟରେ ଏକ ସ୍ଲମ୍ ହସ୍ପିଟାଲ ନିର୍ମାଣର ଦାବି ହେଲା ଓ ସେ ମୁତାବକ ଏକ ସୁନ୍ଦର କୋଠା ମଧ୍ୟ ସହରର ହାର୍ଟ ଅମଲାପଡାରେ ନିର୍ମାଣ କରାଗଲା । ଆଶା କରାଯାଉଥିଲା ସ୍ଲମ ହସ୍ପିଟାଲ ସହରର ଆବଶ୍ୟକତାକୁ କିଛିକାଂଶରେ ପୂରଣ କରିବା ସହ ମୂଖ୍ୟ ଡାକ୍ତରଖାନାର ଭିଡକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବ । ହେଲେ ଭବ୍ୟ ଗୃହ ନିର୍ମାଣ ସଂପୂର୍ଣ୍ଣ ହେବା ପୂର୍ବରୁ ପୌରପାଳିକାର ନେତାମାନେ ନିଜ ନିଜର ରାଜନିତି ଆରମ୍ଭ କରି ସେଥିରୁ ନିଜ ନିଜର ଲାଭ ଖୋଜିବାରେ ଲାଗିଗଲେ । ଏବଂ ଶେଷରେ ଫଳବତୀ ହୋଇ ଜଣେ ଘରୋଇ ହାତକୁ ନିର୍ମାଣ ଗୃହକୁ ଭଡା ସୂତ୍ରରେ ଟେକି ଦେବାରେ ସଫଳ ହେଲେ । ଦୀର୍ଘ ଛଅ ସାତ ବର୍ଷ ହେବ ଉକ୍ତ ଗୃହରେ ଏକ ଘରୋଇ ଚିକିତ୍ସାଳୟ ଚାଲିଆସୁଛି । ଫଳରେ ସ୍ଲମ ଅଧିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ବାଟ ମାରଣା ହୋଇ ଚାଲିଥିଲେ ମଧ୍ୟ ପ୍ରଶାସନ ବା କୌଣସି ସଂସ୍ଥା ବା ସଂଗଠନ କାହିଁକି ଯେ ଚୁପ ହୋଇ ବସିରହିଛନ୍ତି, ତା ସନ୍ଦେହ ଘେରରେ । ରାଜନୈତିକ ନେତୃତ୍ୱ ଭୂଲ କରି ଚାଲିଗଲା ପରେ ପ୍ରଶାସନିକ ଅଧିକାରୀ ପୌରପାଳିକାକୁ ହାତକୁ ନେଲା ପରେ ବି କିଭଳି ଯେ ତାକୁ କୌଣସି ତଦନ୍ତ ପରିଷରକୁ ନ ନେଇ ସେହି ଧାରାରେ ପକାଇ ଚଲାଇଛନ୍ତି ତା ବି ସାଧାରଣରେ ବିସ୍ମିତ କରିଛି । ଏଣୁ କେଉଁ ପରିସ୍ଥିତିରେ ସ୍ଲମ ହସ୍ପିଟାଲକୁ ନ ଖୋଲି ଜଣେ ଘରୋଇ ଲୋକ ହାତକୁ ଟେକି ଦିଆଗଲା ଏହାର ଏକ ବିଧିବଦ୍ଧ ତଦନ୍ତ କରିବା ସହ ତୁରନ୍ତ ଉକ୍ତ ସ୍ଲମ ହସ୍ପିଟାଲକୁ ଖୋଲି ଦଳିତ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାକୁ କାର୍ଯ୍ୟକ୍ଷମ କରାଇବା ଲକ୍ଷନେଇ ସେଠାରେ ଚିକିତ୍ସାଳୟ ଖୋଲିବାକୁ ଲୋକ ଅଧିକାର ମଂଚ, ଅନୁଗୋଳ ପକ୍ଷରୁ ଆଡଭୋକେଟ ଗୋପାଳ ଚନ୍ଦ୍ର ନାଥ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ନଗର ଉନ୍ନୟନ ବିଭାଗୀୟ କର୍ତୃପକ୍ଷଙ୍କ ଠାରେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ