ଲକ୍‌ଡାଉନ୍ ସମୟରେ ବି ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇ ଚାଲିଛନ୍ତି ପ୍ରତାପ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ସମୟ ହେବ ମହାମାରୀ କରୋନା ଭାରତ ସମେତ ସାରା ଓଡ଼ିଶାରେ ତାର କାୟା ବିସ୍ତାର କରିଚାଲିଛି । ଫଳରେ ଲୋକମାନେ ନିଜ ନିଜର ବେଉସା ହରାଇ ଏକ ପ୍ରକାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଅଫିସ୍ କାର୍ଯ୍ୟ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଠପ୍ ହୋଇପଡ଼ିଛି । ଏଥିରୁ ପଶୁପକ୍ଷୀ ବା ବାଦ୍ ଯିବେ କିପରି? ଏହି ଦୁର୍ଦ୍ଦିନ ସମୟରେ କିଛି ସ୍ୱେଚ୍ଛାସେବୀ କରୋନା ସମୟରେ ଗରିବ, ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଇଥିଲେ ମଧ୍ୟ ପଶୁପକ୍ଷୀଙ୍କ କଥା ହୁଏତ ସେମାନଙ୍କ ନଜରକୁ ଆସିପାରି ନାହିଁ । କିନ୍ତୁ ଜଣାଶୁଣା ସମାଜସେବୀ ତଥା ପକ୍ଷୀପ୍ରେମୀ ପ୍ରତାପ ସାହୁ ଯିଏକି ଏହି ବିପତ୍ତି ସମୟରେ ରାଜଧାନୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବୁଲା କୁକୁର, ଷଣ୍ଢ, ପାରା, କାଉ ଆଦି ପଶୁପକ୍ଷୀଙ୍କୁ ଚାଉଳ, ଗହମ, ସୋରିଷ, ଧାନ, ଆଦି ଖାଦ୍ୟ ଯୋଗାଇ ଚାଲିଛନ୍ତି । ଆହୁରି ମଧ୍ୟ ପ୍ରତାପ ଏହି କରୋନା ସମୟରେ ଅସହାୟ ଲୋକମାନଙ୍କୁ ସହଯୋଗ କରିବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାନିଟାଇଜ୍ କରିଚାଲିଛନ୍ତି । କିନ୍ତୁ ପଶୁପକ୍ଷୀଙ୍କୁ ଖାଦ୍ୟ ଯେଗାଇବା ତାଙ୍କର ଏକ ନିଶା । ସେ ଭୁବନେଶ୍ୱରରେ ରହିବା ଦିନଠାରୁ ସକାଳୁ ଉଠି ପ୍ରଥମେ ବୁଲା କୁକୁର, ଷଣ୍ଢ, ପାରା ଓ କାଉମାନଙ୍କୁ ଖାଇବାକୁ ଦେବା ସହ କୁକୁର ଓ ଷଣ୍ଢମାନଙ୍କ ସେବା ଶୁଶ୍ରୁଷା କରିଥାନ୍ତି । କିନ୍ତୁ କରୋନା ମହାମାରୀ ସମୟରେ ପ୍ରତାପ ଟିକିଏ ଅଧିକ ତତ୍ପର ହୋଇ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ସେମାନଙ୍କର ଯତ୍ନ ନେଇଥାନ୍ତି । ଏ ବିଷୟରେ ପ୍ରତାପଙ୍କୁ ପଚାରିଲେ ସେ କୁହନ୍ତି ଯେ, ଭଲ ସମୟ ହେଉ ବା ଖରାପ ସମୟ, ମଣିଷମାନେ ସିନା ନିଜେ ଖାଇପାରିବା ସହିତ ନିଜର ଯତ୍ନ ନେଇପାରିବେ କିମ୍ବା କାହାର କିଛି ଅସୁବିଧା ହେଲେ ସେମାନେ ଅନ୍ୟର ସାହାଯ୍ୟ ଲୋଡ଼ିପାରିବେ, କିନ୍ତୁ ପଶୁପକ୍ଷୀମାନେ ତ କାହାକୁ ନିଜର ଦୁଃଖ ଜଣାଇପାରିନ୍ତି ନାହିଁ, ତେଣୁ ଆମ୍ଭେମାନେ ତାଙ୍କର ଦୁଃଖକୁ ହୃଦୟଙ୍ଗମ କରି ଖାଦ୍ୟ ଦେବା ସହିତ ସେମାନଙ୍କର ଯତ୍ନ ନେବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ