୨୯ କରୋନା ପଜିଟିଭ୍ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୨୯୭ ପହଁଚିଲା ଆଉ ଦୁଇଦିନ ବଢିଲା ସଟ୍‌ଡାଉନ୍‌

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାକୁ ଗ୍ରାସ କରୁଛି କରୋନା। ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଇତି ମଧ୍ୟରେ ଥିବା ୧୨ ଟି ବ୍ଳକ ମଧ୍ୟରୁ ୧୧ ଟି ବ୍ଳକରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଗୋଟିଏ ଦିନରେ ହିଁ କେବଳ ୯ଟି ବ୍ଳକରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ଦର୍ଶାଯାଇଛି। ଜିଲ୍ଲାରେ ପୁଣି ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୯୭ରେ ପହଞ୍ଚିଛି। ଫଳରେ କନ୍ଧମାଳ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ପଦକ୍ଷେପ ନେଇଛନ୍ତି। କନ୍ଧମାଳ ଜିଲାରେ ଆଉ ଦୁଇଦିନ ସଟ୍‌ଡାଉନ୍‌ ଅବଧି ବଢ଼ାଇଦେଛନ୍ତି। ଜୁଲାଇ ୨୭(ସୋମବାର) ଓ ୨୮(ମଙ୍ଗଳବାର) ଦୁଇଦିନ କନ୍ଧମାଳ ଜିଲା ହେବ ସଟ୍‌ଡାଉନ୍‌। ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ସପ୍ତାହନ୍ତ ଶନିବାର ଓ ରବିବାର ସହିତ ସୋମବାର ଓ ମଙ୍ଗଳବାର ଆଉ ଦୁଇଦିନ ଜିଲାକୁ ସଟ୍‌ଡାଉନ୍‌ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।ଗୁରୁବାର ଚିହ୍ନଟଙ୍କ ମଧ୍ୟରେ ପୂର୍ବରୁ କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଅଞ୍ଚଳର ମୃତ୍ୟୁ ବରଣ କରିଥିବା ଜଣେ ବୃଦ୍ଧଙ୍କୁ ମିଶାଇ ୨୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି ଓ ସେମାନଙ୍କ ବୟସ ୨୦ ରୁ ୮୬ ବର୍ଷ ମଧ୍ୟରେ ରହିଛି। ବର୍ତମାନ ସୁଦ୍ଧା ୧୯୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବାକି ୯୭ ଜଣ ବର୍ତ୍ତମାନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଘୋଷିତ ହୋଇଥିବା ଚିହ୍ନଟଙ୍କ ମଧ୍ୟରେ ଫୁଲବାଣୀ ପୌରାଞ୍ଚଳ ଓ ବ୍ଲକ ଅଞ୍ଚଳରୁ ସର୍ବାଧିକ ୭ ଜଣ ଥିବା ବେଳେ ଏହିମାନେ ସମସ୍ତେ ଗତ ଦିନରେ ଚିହ୍ନଟ ହୋଇଥିବା ଷ୍ଟେଟ୍ ବ୍ୟାଙ୍କର ଜନୈକ ଅଧିକାରୀଙ୍କ ସମ୍ପର୍କରେ ସଂକ୍ରମିତ ହୋଇଥିଲେ। ସେହିଭଳି ଜି.ଉଦୟଗିରିରୁ ୬ ଜଣ, ଟିକାବାଲିରୁ ୩, ଚକାପାଦରୁ ୨, ରାଇକିଆରୁ ୧, ବାଲିଗୁଡାରୁ ୩, ନୁଆଁଗାଁ ରୁ ୫, ତୁମୁଡିବନ୍ଧରୁ ଜଣେ ଓ କୋଟଗଡ ବ୍ଲକ ଅଞ୍ଚଳରୁ ଜଣେ ସଂକ୍ରମିମତ ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଚିହ୍ନଟ ୨୯ ସଂକ୍ରମିତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି। ତେବେ ଦିନକୁ ଦିନ କନ୍ଧମାଳ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୁଣି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଜିଲାରେ ଚଳିତ ମାସ ଠାରୁ ଶନିବାର ଓ ରବିବାର ୨ ଦିନ ସଟ୍ଡ଼ାଉନ୍ ରହୁଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇଛି। ସମଗ୍ର ଜିଲାରେ ଜିଲ୍ଲାରେ ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ସଟ୍‌ଡାଉନ୍‌ ସମୟରେ କେବଳ ଜରୁରୀକାଳୀନ ବିଭାଗ, ଥାନା, ଡାକ୍ତରଖାନା, ପେଟ୍ରୋଲ ପମ୍ପ, ତହସିଲ ଅଫିସ, ବିଦ୍ୟୁତ୍ ବିଭାଗ ଓ ଜଳ ଯୋଗାଣ କାର୍ଯ୍ୟାଳୟ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ଦୋକାନ ବଜାର, ଯାନବାହାନ ଚଳାଚଳ ଆଦି ବନ୍ଦ ରହିବ। କୌଣସି ଜରୁରୀ କାର୍ଯ୍ୟ ନଥିଲେ କେହି ଘରୁ ବାହାରକୁ ନବାହାରିବାକୁ କୁହାଯାଇଛି। ଏହି ଦିନ ମାନଙ୍କରେ ଜିଲାର ସମସ୍ତ ସଦର ମହକୁମା ମାନଙ୍କରେ ସ୍ୱାସ୍ଥ୍ୟ ସର୍ଭେ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ଅବଗତ କରାଯିବା ସହିତ ଏଥିରେ ସହଯୋଗ ପାଇଁ ମଧ୍ୟ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ