ଅର୍ଥମନ୍ତ୍ରୀଙ୍କ ଦ୍ୱାରା କ୍ୟାପେକ୍ସ ଓ ସିପିଏସଇର ଦ୍ୱିତୀୟ ସମୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରଣାଳୟର ସଚିବ, ରେଳୱେ ବୋର୍ଡର ଚେୟାରମ୍ୟାନ ଏବଂ ୭ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସିପିଏସଇର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ସଂପୃକ୍ତ ବିଭାଗୀୟ ସଚିବଙ୍କ ସହ ଚଳିତ ଆର୍ଥିକ ବର୍ଷର ପୁଞ୍ଜି ବ୍ୟୟ ବା କ୍ୟାପିଟାଲ ଏକ୍ସପେଣ୍ଡିଚେର କ୍ୟାପକ୍ସର ସମୀକ୍ଷା କରିଛନ୍ତି । ଏହି କ୍ରମରେ ଏହା ଦ୍ୱିତୀୟ ସମୀକ୍ଷା ବୈଠକ । କୋଭିଡ-୧୯ ମହାମାରୀ ପୃଷ୍ଠଭୂମିରେ ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏହି ସମୀକ୍ଷା ବୈଠକ କ୍ରମାନ୍ୱୟରେ ଅନୁଷ୍ଠିତ ହେଉଛି । ଆଜିର ବୈଠକରେ ଏହି ମନ୍ତ୍ରଣାଳୟ ଓ ଉଦ୍ୟୋଗଗୁଡିକ ସହ ସଂପୃକ୍ତ ବିଭିନ୍ନ ପକ୍ଷ ମଧ୍ୟ ଯୋଗ ଦେଇଥିଲେ । ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ୭ଟି ସିପିଏସଇର ମୋଟ କ୍ୟାପେକ୍ସ ଲକ୍ଷ୍ୟ ୨୪,୬୬୩ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ୨୦୧୯-୨୦ରେ ଏହି ଅର୍ଥ ପରିମାଣ ଥିଲା ୩୦,୪୨୦ କୋଟି ଟଙ୍କା । ସେଥିମଧ୍ୟରୁ ଗତ ଆର୍ଥିକ ବର୍ଷରେ ୨୫,୯୭୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୮୫ପ୍ରତିଶତ ସଫଳତା ହାସଲ କରାଯାଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୩୮୭୮ କୋଟି ଟଙ୍କା ଖର୍ଚ୍ଚ ହୋଇ ୧୩ ଶତାଂଶ ସଫଳତା ହାସଲ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଏ ବାବଦରେ ୩୫୫୭କୋଟି ଟଙ୍କା ଖର୍ଚ୍ଚ ହୋଇ ୧୪ଶତାଂଶ ସଫଳତା ହାସଲ କରାଯାଇଛି । ଅର୍ଥମନ୍ତ୍ରୀ ଭାରତୀୟ ଅର୍ଥନୀତିର ବିକାଶରେ ସିପିଏସଇଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ଏସବୁ ଉଦ୍ୟୋଗ ନିଜର ଲକ୍ଷ୍ୟ ପୂରଣ କରିବା ସହ ଉତ୍ତମ ସଫଳତା ପ୍ରଦର୍ଶନ କରିବା ଉଚିତ । ଚଳିତ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ଖର୍ଚ୍ଚ କରିବା ନିମନ୍ତେ ସେମାନଙ୍କୁ ଯେଉଁ ଲକ୍ଷ୍ୟ ଦିଆଯାଇଛି ତାହାକୁ ସେମାନେ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସିପିଏସଇଗୁଡିକର ପ୍ରଦର୍ଶନ ଭଲ ରହିଲେ ଏହାର ଉତ୍ତମ ପ୍ରଭାବ ଅର୍ଥନୀତି ଉପରେ ପଡିବ ଏବଂ କରୋନା ଜନିତ ଆର୍ଥିକ କ୍ଷୟକ୍ଷତିକୁ ଶୀଘ୍ର ଭରଣା କରି ହେବ ବୋଲି ସେ କହିଛନ୍ତି । ସିପିଏସଇଗୁଡିକର ପ୍ରଦର୍ଶନକୁ ନିବିଡଭାବେ ଅନୁଧ୍ୟାନ କରିବାକୁ ଅର୍ଥମନ୍ତ୍ରୀ ସଂପୃକ୍ତ ସଚିବ ଏବଂ ରେଳବୋର୍ଡର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଶେଷସୁଦ୍ଧା ପୁଞ୍ଜି ବାବଦ କ୍ୟାପେକ୍ସବ୍ୟୟ ଯେପରି ୫୦ଶତାଂଶରେ ପହଞ୍ଚେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି । ଯେଉଁସବୁ ଅସମାହିତ ପ୍ରଶ୍ନ ରହିଛି ସେଗୁଡିକୁ ତୁରନ୍ତ ଡିଇଇ/ଡିପିଇ/ଡିଆଇପିଏଏମ୍‌ରେ ଉପସ୍ଥାପନ କରି ତାହାର ତୁରନ୍ତ ସମାଧାନ କରିବାକୁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ମାସରେ କ୍ୟାପେକ୍ସ ଓ ସିପିଏସଇର ପ୍ରଦର୍ଶନ ସଂପର୍କରେ ସେ ସମୀକ୍ଷା କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ସିପିଏସଇ ବୈଠକରେ କରୋନା ମହାମାରୀ ଯୋଗୁଁ ଯେଉଁସବୁ ଅସୁବିଧା ସୃଷ୍ଟି ହୋଇଛି ତାହା ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଅର୍ଥମନ୍ତ୍ରୀ କହିଥିଲେ ଅସାଧାରଣ ପରିସ୍ଥିତିରେ ଅସାଧାରଣ ଉଦ୍ୟମ ଓ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । ଏହାଦ୍ୱାରା ଆମେ କେବଳ ଉତ୍ତମ ପ୍ରଦର୍ଶନ କରିପାରିବା ନାହିଁ, ଭାରତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଫଳାଫଳ ଦେବାରେ ସମର୍ଥ ହେବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ