ପୂର୍ବ ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୭ଆହତ
ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ତେମଳା ଗ୍ରାମରେ ପୁର୍ବ ବିବାଦକୁ ନେଇ ବେହେରା ଓ ଜେନା ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ୭ଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତ କିଛିବର୍ଷ ହେବ ଗ୍ରାମର ଚନ୍ଦ୍ର ଶେଖର ଜେନା ଓ ଅଧର ବେହେରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଛି । ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ ପ୍ରଥମେ ଗାଳି ଗୁଲଜ ଓ ପରେ ଟେକା ପଥର ମାଡ ହେବାପରେ ଉଭୟ ପରିବାର ହାତାହାତି ହୋଇଥିଲେ । ଫଳରେ ଜେନା ପରିବାରର ଚନ୍ଦ୍ରଶେଖର ଜେନା, ରମେଶ ଚନ୍ଦ୍ର ଜେନା, ଚିତ୍ତରଞ୍ଜନ ଜେନା, ରିକିନା ଜେନା, କାଜଲ ଜେନା ଆହତ ହୋଇଥିବାବେଳେ ଅପର ପକ୍ଷର ଅଧର ବେହେରା, ତାଙ୍କ ପୁଅ ଦିବ୍ୟରଞ୍ଜନ, ଓ ବୃଦ୍ଧ ବାପା ଧନେଶ୍ୱର, ଭାଇ ଯୁଦ୍ଧିଷ୍ଠିର ମଧ୍ୟ ଆହତ ହୋଇଛନ୍ତି । ସେହିପରି ଦୁଇଟି ବାଇକ ମଧ୍ୟ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି । ସଂଘର୍ଷ ଖବର ପାଇ ନନ୍ଦିପଦା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଛି ।ଏନେଇ ନନ୍ଦିପଦା ଥାନାରେ ପୃଥକ ପୃଥକ ଭାବେ ଦୁଇଟି ଅଭିଯୋଗ ହୋଇଥିବାବେଳେ ଆହତମାନେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରିକି ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ଝଗଡା ହୋଇଥିବା ଜଣାଯାଇଛି ।


