ଶ୍ରମିକ କାର୍ଡ କରାଇଦେବା ନାଁରେ ଦଲାଲ ସକ୍ରିୟ
ହାଟଡିହି,(ଓ୍ବାଇଏନଏସ): ନିର୍ମାଣ ଶ୍ରମିକମାନଙ୍କୁ ପ୍ରୋତ୍ସାହନ ଓ ସରକାରୀ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ସୁବିଧା ହାସଲ କରିବା ପାଇଁ ନିର୍ମାଣ ଶ୍ରମିକ କାର୍ଡ କରିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଥିବା ବେଳେ ଏହାର ସୁଯୋଗ ନେଇ ହାଟଡିହିରେ କିଛି ଦଲାଲ ସକ୍ରିୟ ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ କାର୍ଡ କରାଇଦେବା ନାଁରେ ଦଲାଲମାନେ ହିତାଧିକାରୀଙ୍କଠାରୁ ଏକ ହଜାରରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଅଭିଯୋଗ ରହିଛି। ଏପରିକି ଜାଲ କାଗଜପତ୍ର ମାଧ୍ୟମରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରାଯାଉଥିବା ଅଭିଯୋଗ ଉଠିଛି। ନିର୍ମାଣ କାମ ସହିତ ସମ୍ପୃକ୍ତ ନଥିବା କିଛି ବ୍ୟକ୍ତି ମଧ୍ୟ ଏହି କାର୍ଡ ହାତେଇଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ସୋମବାର ହାଟଡିହି ବ୍ଲକ ପରିସରରେ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଥିଲା। ଜଣେ ଦଲାଲ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଶ୍ରମିକ କାର୍ଡ କରାଇଦେବା ନାଁରେ ବ୍ଲକ କାର୍ଯ୍ୟାଳୟକୁ ଡାକିଥିବା ଜଣାପଡ଼ିଥିଲା। ଏହାକୁ ନେଇ ସମ୍ପୃକ୍ତ ଦଲାଲଙ୍କୁ କିଛି ଲୋକ ଘେରିଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ତାଙ୍କୁ ଦୁଇରୁ ତିନି ହଜାର ଟଙ୍କା ହିତାଧିକାରୀ ମାନେ ସ୍ୱଇଛାରେ ଦେଉଥିବା ସେ ସ୍ୱୀକାର କହିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଟାଙ୍ଗର ଗ୍ରାମରେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବ୍ଲକ ଶ୍ରମ ଅଧିକାରୀ ଶାଶ୍ୱତ ପ୍ରୀତମ ପଲେଇଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ପୂର୍ବରୁ ଜାଣିନଥିଲେ, ଘଟଣା ସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲକ ପରିସରରୁ ବାହାର କରିଦିଆଯାଇଛି ବୋଲି କହିଥିଲେ । ଏଥିସହ ଶ୍ରମିକ କାର୍ଡ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ କୌଣସି ଦଲାଲଙ୍କ ମାଧ୍ୟମରେ ନଆସି ସିଧାସଳଖ କାର୍ଯ୍ୟାଳୟକୁ ଆସି ସରକାରୀ ପ୍ରକ୍ରିୟାରେ ନିଜ କାର୍ଯ୍ୟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ହାଟଡିହି ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ଭବିଷ୍ୟତରେ ଯଦି ଏଭଳି ଘଟଣା ପୁଣି ନଜରକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରାଯିବ ବୋଲି କହିଛନ୍ତି।।


