ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଚାଲିଥିବା ଜାଲିଆତି,ବେଆଇନ ନିଯୁକ୍ତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦୀର୍ଘଦିନ ଧରି ଚାଲିଥିବା ଜାଲିଆତି,ବେଆଇନ ନିଯୁକ୍ତି ଓ ଅର୍ଥ ଆତ୍ମସାତ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ କଲେଜର ପୂର୍ବତନ ଆକାଉଁଟାଂଟ ସଞ୍ଜୟ କୁମାର ପଣ୍ଡା, ନୁରଅଲ୍ଲୀ ଖାଁ ଓ ମଦନ କୁମାର ରାଉତ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରି ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ନାରୀଶିକ୍ଷାର ଅପରିହାର୍ଯ୍ୟତା ଓ ପ୍ରସାର ପାଇଁ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟଟି ସ୍ଥାନୀୟ କେତେକ ବିଶିଷ୍ଟ ବ୍ୟକ୍ତଙ୍କ ପ୍ରଚେଷ୍ଟାରେ ଗତ ୧୯୮୮ମସିହାରେ ସ୍ଥାପିତ ହୋଇଥିଲା । ପରେ ରାଜ୍ୟ ସରକାରଙ୍କ ଅନୁମତି ଓ ଅନୁମୋଦନପ୍ରାପ୍ତ ହୋଇ ସେହି ମହିଳା ମହାବିଦ୍ୟାଳୟଟି ଚାଲି ଆସୁଅଛି । ସେହି କଲେଜରେ ନିରୂପମା ବଳ ଆରମ୍ଭରୁ ୨୦୦୯ମସିହା ପର୍ଯ୍ୟନ୍ତ ଅଧ୍ୟକ୍ଷା ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ । କଲେଜ ଅଧ୍ୟକ୍ଷା ଶ୍ରୀମତୀ ବଳଙ୍କ କାର୍ଯ୍ୟାକାଳ ସମୟରେ ଗତ ତା ୯.୦୧.୨୦୦୯ରିଖରେ ପତ୍ର ସଂଖ୍ୟା ୧୪(୧)ରେ ନିଯୁକ୍ତି ପାଇ ଗତ ତା ୧୩.୦୧.୨୦୦୯ରିଖରେ କଲେଜର ଶିକ୍ଷାବିଭାଗର ଅଧ୍ୟାପିକା ଭାବେ ବିଷ୍ଣୁପ୍ରିୟା ସ୍ୱାଇଁ ଯୋଗଦେଇଥିଲେ । ଏହି ନିଯୁକ୍ତି ଓ ଯୋଗଦାନକୁ କଲେଜର ୨୧ତମ ଅଧିବେଶନରେ ତଦନାନ୍ତୀନ ପଟ୍ଟାମୁଣ୍ଡାଇ ବିଧାୟକ ତଥା ପରିଚାଳନା ସମିତି ସଭାପତି କିଶୋର ଚନ୍ଦ୍ର ତରାଇ ଓ କଲେଜ ଅଧ୍ୟକ୍ଷା ଶ୍ରୀମତୀ ବଳଙ୍କ ସ୍ୱାକ୍ଷରରେ ଅନୁମୋଦନ ଓ ଦୃଢିକରଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କଲେଜ ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ସ୍ୱାଇଁଙ୍କ ନିଯୁକ୍ତିକୁ ଗତ ୨୦୧୨ମସିହା ଜୁଲାଇମାସ ୨ତାରିଖ ପତ୍ର ସଂଖ୍ୟା -୨୧୦ ଓ ଯୋଗଦାନ ତାରିଖ ତା ୩.୦୭.୨୦୧୨ରିଖରେ କରିଥିବା ଦର୍ଶାଯାଇଛି । ଯୋଗଦାନ ରିପୋର୍ଟରେ ଅଧ୍ୟାପିକା ଶ୍ରୀମତୀ ସ୍ୱାଇଁ ନିଜେ ଲେଖିଛନ୍ତି ଯେ ସେ ୨୦୧୩ମସିହାରେ ଶତକଡା ୭୧ ପ୍ରତିଶତ ମାର୍କରଖି ଏମଫିଲ ପାସ କରିଛନ୍ତି ବୋଲି । ଏହି ନିଯୁକ୍ତି ଓ ଯୋଗଦାନକୁ ସେହିସମୟର କଲେଜ ପରିଚାଳନା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ପଣ୍ଡାଗତ ତା ୨୫,୦୭.୨୦୧୨ରିଖର ୨୩ତମ ଅଧିବେଶନରେ ଅନୁମୋଦନ ଓ ଦୃଢିକରଣ କରିଥିବା ରେକର୍ଡରୁ ଜଣାପଡିଛି । ପୁନର୍ବାର ସେହି ଅଧ୍ୟାପିକାଙ୍କୁ ୨୬୬ନମ୍ବର ପତ୍ର ସଂଖ୍ୟାରେ ତା ୧୪.୦୮.୨୯୧୩ରିଖରେ ନିଯୁକ୍ତି ଦିଆଯାଇଥିବା ଓ ସେ ୧୯.୦୮.୨୦୧୩ରିଖରେ ଯୋଗଦାନ କରି କଲେଜରୁ ଦରମା ଗ୍ରହଣ କରିଥିବା ଅନ୍ୟ ଏକ ରେକର୍ଡରୁ ସୂଚନା ମିଳିଛି । ତେବେ କଲେଜ ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ସ୍ୱାଇଁଙ୍କ କେଉଁ ନିଯୁକ୍ତି ଓ ଯୋଗଦାନ ଠିକ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ଅଧ୍ୟାପିକାଙ୍କୁ ଗୋଟିଏ ମହିଳା କଲେଜରେ ଭିନ୍ନ ଭିନ୍ନ ତାରିଖରେ ତିନି ତିନି ଥର ନିଯୁକ୍ତି ପ୍ରଦାନ ଓ ଯୋଗଦାନ ,କଲେଜ ଅଧିବେଶନରେ ମଧ୍ୟ ତାକୁ ଅନୁମୋଦନ ଓ ଦୃଢିକରଣ କରାଯିବା ଘଟଣା ସେହି କଲେଜରେ ବେଆଇନ ଓ ଜାଲିଆତି କାରବାର ଚାଲିଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ଏଭଳି ଅନେକ ଘଟଣାରୁ ଏହା ଗୋଟିଏ ମାତ୍ର ନମୁନା ବୋଲି ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି । ଏଥିରେ ଜଣେ ପୂର୍ବତନ ବିଧାୟକ ଓ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କ ନାମ ଓ ସ୍ୱାକ୍ଷର ଉଲ୍ଲେଖ ଥିବାରୁ ଏଭଳି ଜାଲିଆତି ଘଟଣାର ସତ୍ୟାସତ୍ୟ ଯାଂଚ କରିବାକୁ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଅଭିଯୋଗକାରୀ କଲେଜର ପୂର୍ବତନ ଆକାଉଁଟାଂଟ ସଞ୍ଜୟ କୁମାର ପଣ୍ଡା, ନୁରଅଲ୍ଲୀ ଖାଁ ଓ ମଦନ କୁମାର ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଏହି ଅଭିଯୋଗର ନକଲ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକ ଓ କଟକସ୍ଥିତ ଭିଜିଲାନ୍ସ ଏସପିଙ୍କୁ ପ୍ରଦାନ କରିଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି ।