ଏକାଧିକ ଥର ଓଡ଼ିଶା ଆସିଥିଲେ ଗାନ୍ଧିଜୀ
ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନ କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ । ଯେଉଁଥିପାଇଁ ସେ ସାରା ଦେଶର କୋଣ ଅନୁକୋଣରେ ବୁଲି ଲୋକଙ୍କୁ ଏକଜୁଟ୍ କରୁଥିଲେ । ଏହି ସମୟରେ ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ବିଭିନ୍ନ ଭେଟି ଦେଉଥିଲେ । ସେମିତି ଗାନ୍ଧିଜୀ ଓଡ଼ିଶା ଆସିବା ସମୟରେ ବି ତାଙ୍କୁ ମିଳିଥିଲା ଅନେକ ଶ୍ରଦ୍ଧାର ଭେଟି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ମହାତ୍ମା ଗାନ୍ଧି ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହି ସ୍ୱପ୍ନକୁ ସାକାର କରିବା ଲାଗି ସାରା ଦେଶରେ ଗାନ୍ଧିଜୀଙ୍କ ଅଭିଯାନ ଥିଲା ନିଆରା । ତାଙ୍କର ଏହି ଅଭିଯାନରେ ସାମିଲ ହୋଇଥିଲେ ଦେଶବାସୀ । ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ଗାନ୍ଧିଜୀ ଏକାଧିକ ଥର ଓଡ଼ିଶା ଆସିଥିଲେ । ପଦଯାତ୍ରା ସମୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଥିବା ବେଳେ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଆତିଥ୍ୟକୁ ସ୍ମରଣୀୟ କରିବା ପାଇଁ ତାଙ୍କୁ କିଛି ଉପହାର ପ୍ରଦାନ କରାଯାଇଥିଲା । ଯାହା ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ଅନୁଭୂତି (ମାଇଁ ଓଡ଼ିଶା ଟୁର୍) ଲେଖାରୁ ସେତେବେଳର ନବଜୀବନ ପତ୍ରିକା ସହ ବିଭିନ୍ନ ପତ୍ରପତ୍ରିକାରୁ ଜଣାପଡ଼େ ।
ଲୋକେ ଅଣା, ପାଉଣା ପାଣ୍ଠିକୁ ଦେଇଥିଲେ:ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଚାରିବାଟିଆକୁ ୧୯୨୭ ଡିସେମ୍ବର ୧୭ରେ ଗାନ୍ଧିଜୀ ଆସିଥିଲେ । ସେହି ସମୟରେ ବନ୍ୟାରେ ସାରା ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥାଏ । ଏଭଳି ପରିସ୍ଥିତି ଦେଖି ଗାନ୍ଧିଜୀ ଦୁଃଖିତ ହୋଇଥିଲେ । ସେ ଲୋକଙ୍କୁ ସ୍ୱାବଲମ୍ବୀ ତଥା ଧୈର୍ଯ୍ୟ ସହକାରେ ପରିଶ୍ରମ କରିବା ପାଇଁ କହିଥିଲେ । ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ । ମନ୍ତେଇ ନଦୀ କୂଳରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ଗାନ୍ଧିଜୀଙ୍କ ସମେତ ମୀରାବେନ, ମହାଦେବ ଦେଶାଇ, କାକା କାଲେକର, ହରେକୃଷ୍ଣ ମହତାବ, ଚକ୍ରଧର ବେହେରା ଆଦି ସଂଗ୍ରାମୀମାନେ ଆସିଥିଲେ । ସେଦିନ ବାସୁଦେବପୁର ଚାରିବାଟିଆ ଅଞ୍ଚଳର ଲୋକମାନେ ଅଣା, ପାଉଣା ଓ ସୁଉକି ଆଦି ସଂଗ୍ରହକରି ଗାନ୍ଧିଜୀଙ୍କ ପାଣ୍ଠିକୁ ପ୍ରଦାନ କରିଥିଲେ ।
ଫଳ ଓ ଟଙ୍କା ପ୍ରଦାନ କରାଯାଇଥିଲା : ଗାନ୍ଧିଜୀ ସବୁଠାରେ ଖଦି ଓ ଅରଟରେ ସୂତାକାଟିବା ପାଇଁ ପରାମର୍ଶ ଦେବା ସହିତ ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ କରୁଥିଲେ । ବିଭିନ୍ନ ପତ୍ରପତ୍ରିକାରୁ ମହାତ୍ମା ଗାନ୍ଧୀଙ୍କ ବାଣପୁର ଗସ୍ତ ବିଷୟରେ ଯାହା ଜଣାପଡ଼େ- ସେତେବେଳେ ଅବିଭକ୍ତ ପୁରୀ ଅଞ୍ଚଳର ବାଣପୁରକୁ ଗାନ୍ଧିଜୀ ଆସିଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ତାଙ୍କର ସହଯୋଗୀମାନେ ସ୍ଥାପନ କରିଥିବା ଆଶ୍ରମ ସମ୍ମୁଖ ବରଗଛଠାରେ ଏକ ସଭା କରିଥିଲେ । ସେଦିନ ଥିଲା ୧୯୨୭ ମସିହା ଡିସେମ୍ବର ୮ତାରିଖ । ଗାନ୍ଧିଜୀଙ୍କ ଆହ୍ୱାନରେ ବାଣପୁର ଆଦିବାସୀମାନେ ବିଭିନ୍ନ ଫଳ ଆଣି ଗାନ୍ଧିଜୀଙ୍କୁ ଉପହାର ଦେଇଥିଲେ ଏବଂ ବାଣପୁର ଜନସାଧାରଣ ୨୨୫ ଟଙ୍କା ସଂଗ୍ରହକରି ପାଣ୍ଠିକୁ ପ୍ରଦାନ କରିଥିଲେ । ଗାନ୍ଧିଜୀଙ୍କ ପରାମର୍ଶରେ ବାଣପୁରରେ ଅରଟ କେନ୍ଦ୍ର ଖୋଲାଯାଇଥିଲା ।
ସତ୍ୟଭାମାପୁରରେ ଗାନ୍ଧିଜୀ : ୧୯୩୪ ମସିହା ମେ ୨୩ ତାରିଖରେ ବାପୁଜୀ ଛତିଆ ଚମ୍ପାପୁର ଦେଇ ପଦଯାତ୍ରାରେ ଆସି ସାଲେପୁରର ଲେଖନପୁରରେ ପହଞ୍ଚିଥିଲେ । ଏହି ଗ୍ରାମର କପିଳ ମଲ୍ଲିକଙ୍କ ଘରେ ଅବସ୍ଥାନ କରିଥିଲେ । ସେହି ସ୍ମୃତିକୁ ମନେପକାଇବା ପାଇଁ ବାପୁଜୀ ବିଦ୍ୟାପୀଠ ପ୍ରତିଷ୍ଠା ହୋଇଛି । ସେହିପରି ଗାନ୍ଧିଜୀ ପଦଯାତ୍ରାରେ ସତ୍ୟଭାମାପୁରକୁ ଆସିଥିବା ବେଳେ ଏଠାରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ କୋଠାରେ ବିଶ୍ରାମ ନେଇଥିଲେ । ଏଠାକୁ ସେତେବେଳେ ରମାଦେବୀ ଆସିଥିଲେ । ଏହାପରେ ଗାନ୍ଧିଜୀ ବହୁଗ୍ରାମ ଆସି ଦଶହରା ପଡ଼ିଆରେ ଏକ ସଭା କରିଥିଲେ । ସଭା ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳର ନଖି ଭଣ୍ଡାରିଙ୍କ ଦ୍ୱାରା ଖିଅର ହୋଇଥିଲେ । ଶିଶୁଆଠାରେ ଥିବା ଡାକବଙ୍ଗଳାରେ ଅବସ୍ଥାନ କରି ଏଠାରୁ ସେ ନିଶ୍ଚିନ୍ତକୋଇଲି ଯାଇଥିଲେ । ଏହି ଅଞ୍ଚଳର ବହୁ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।
ସୁଉକି, ଅଣା, ପାହୁଲା ସଂଗ୍ରହ ହୋଇଥିଲା : ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଅନ୍ୟ ଏକ ଏନ୍ତୁଡ଼ିଶାଳ ହେଉଛି ଯାଜପୁରର ବରୀ । ଏଠାକୁ ଗାନ୍ଧିଜୀ ଆସିଥିବାବେଳେ ପ୍ରତିଛକରେ ବୈଠକ କରି କୁଟିଖାଅ କାଟି ପିନ୍ଧ କହୁଥିଲେ । କାଇପଡ଼ାର ସ୍ୱାଧୀନତା ସଂଗ୍ରାମୀ ଦଧୀଚି ସାହୁ କୁହନ୍ତି, ମୋତେ ସେତେବେଳେ ୧୦ବର୍ଷ ହୋଇଥିଲା ଗାନ୍ଧିଜୀଙ୍କୁ ଦେଖିଥିଲି । ଗାନ୍ଧିଜୀଙ୍କ ପଛେପଛେ ଦୌଡ଼ୁଥିଲୁ । ଏବେ ଆମ ଅଞ୍ଚଳର କେତେକ ସ୍ଥାନ ଗାନ୍ଧିଛକ ଭାବେ ପରିଚିତ । ବରୀ ଅଞ୍ଚଳର ରାମଚନ୍ଦ୍ରପୁର ଶିକ୍ଷାୟତନର ଶୁଭାରମ୍ଭ ସେ କରିଥିଲେ । ତେବେ ସ୍ୱାଧୀନତା ଆନ୍ଦୋଳନ ପାଇଁ ଗାନ୍ଧିଜୀଙ୍କ ପାଣ୍ଠିକୁ ଆମ ଅଞ୍ଚଳରୁ ସୁଉକି, ଅଣା, ପାହୁଲା ସଂଗ୍ରହକରି ଦେଇଥିଲୁ ।
ଛେଳିକ୍ଷୀର ପାନ କରିଥିଲେ : ୧୯୨୮ମସିହା ଡିସେମ୍ବର ୨୩ରେ ଗାନ୍ଧିଜୀ ସମ୍ବଲପୁରକୁ ଆସିଥିଲେ । ସେତେବେଳେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଅନନ୍ତ ଶଯ୍ୟା ମନ୍ଦିର ପାଶ୍ୱର୍ରେ ଥିବା ଘରେ ସେ ରହିଥିଲେ । ସେହି ସମୟରେ ସେ ମହାନଦୀ ବାଲିରେ ଏକ ସଭା କରିଥିଲେ । ଖଦି କପଡ଼ା ବିକ୍ରିରୁ ସେଦିନ ୬୦୦ରୁ ଊଦ୍ଧ୍ୱର୍ ଟଙ୍କା ପାଣ୍ଠି ପାଇଁ ସଂଗ୍ରହ ହୋଇଥିଲା । ସନ୍ଧ୍ୟା ବେଳେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ମହିଳାମାନେ ପୁର୍ତ୍ତୁଗାଲ୍ର କଲୋନୀ ଭିତରେ ଆସୁଥିଲା । ଜେଲ୍ଟି ପ୍ରାୟ ୪୭୫ ବର୍ଷ ପୁରୁଣା । ଏଠାରେ କେବଳ ଜଣେ କଏଦୀ ରହିଛନ୍ତି । ତାଙ୍କ ନାମ ଦୀପକ ଯୋଗଦେଇଥିଲେ । ଏହି ସଭାରେ ସେତେବେଳେ ୧୭୯୦ରୁ ଊଦ୍ଧ୍ୱର୍ ଟଙ୍କା ସଂଗ୍ରହ ହୋଇଥିଲା । ସଭାରେ କସ୍ତୁରବା ଗାନ୍ଧି ଯୋଗଦେଇଥିଲେ । ଦେବଦାସ ଗାନ୍ଧି ଓ ସଚିବ ମଧ୍ୟ ଆସିଥିଲେ । ସମ୍ବଲପୁର ରହଣି ସମୟରେ ଚନ୍ଦ୍ରଶେଖର ବେହେରାଙ୍କ ଅନୁରୋଧକ୍ରମେ ସମାରୁ ଟାଙ୍ଗୱାଲା କିଛି ଛେଳିକ୍ଷୀର ସଂଗ୍ରହକରି ଗାନ୍ଧିଜୀଙ୍କ ପାଇଁ ଦୁଗ୍ଧପାନର ବ୍ୟବସ୍ଥା କରିଥିଲେ । ଦ୍ୱିତୀୟ ଥର ୧୯୩୪ ମସିହା ମେ ୫ରେ ସମ୍ବଲପୁର ଗସ୍ତରେ ଗାନ୍ଧିଜୀ ଆସିଥିଲେ । ପଦଯାତ୍ରାରେ ଅସ୍ପୃଶ୍ୟତା ନିରାକରଣ ବାର୍ତ୍ତା ନେଇ ଲୋକଙ୍କୁ ବୁଝାଇଥିଲେ ।
ବାଉଁଶବାଡ଼ି ପ୍ରଦାନ କରାଯାଇଥିଲା : ୧୯୩୭ରେ କର୍ଣ୍ଣାଟକର ହୁବୁଲିଠାରେ ଗାନ୍ଧି ସେବାସଂଘର ତୃତୀୟ ଅଧିବେଶନ ପରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା ପ୍ରମୁଖ ଓଡ଼ିଶାରେ ପରବର୍ତ୍ତୀ ଅଧିବେଶନ କରିବା ପାଇଁ ଗାନ୍ଧିଜୀଙ୍କୁ ପ୍ରସ୍ତାବ ଦେଇଥିଲେ । ଗାନ୍ଧିଜୀଙ୍କ ଅନୁମତି ପାଇବା ପରେ ଗୋପବନ୍ଧୁ ଚୌଧୁରୀଙ୍କ ବରୀ ଆଶ୍ରମ ଓ କୃପାସିନ୍ଧୁ ହୋତାଙ୍କ ବେରବୋଇ ଆଶ୍ରମ କଥା ଉଠିଥିଲା । ପୁରୀର ଡେଲାଙ୍ଗ ଅଞ୍ଚଳର ବେରବୋଇରେ ୪ର୍ଥ ସର୍ବଭାରତୀୟ ଅଧିବେଶନ ବସିଥିଲା । ଏହି ଅଧିବେଶନରେ ବିଭିନ୍ନ ପ୍ରଦେଶରୁ ସ୍ୱାଧୀନତା ସଂଗ୍ରାମୀମାନେ ଯୋଗଦେଇଥିଲେ । ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଥିଲା । ନିଷ୍ପତ୍ତି ହୋଇଥିଲା ଯେ ଅଧିବେଶନର ୧୦ମାଇଲ ଅଞ୍ଚଳ ଭିତରେ କରାଯାଇଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀଗୁଡ଼ିକ ଏଠାରେ ବ୍ୟବହାର କରାଯିବ । ସେଥିପାଇଁ ବିଭିନ୍ନ ଗ୍ରାମକୁ ଯାଇ ଚାଷୀମାନଙ୍କୁ କୁହାଗଲା ସେମାନେ ପନିପରିବା ଚାଷ ଓ ଗୋପାଳନ କରିବେ । ଏପରିକି ସେତେବେଳେ ଡେଲାଙ୍ଗ ରେଳଷ୍ଟେଶନରେ ଏକ୍ସପ୍ରେସ ଟ୍ରେନ ରହଣିର ସୁବିଧା ନ ଥିଲା । ମାତ୍ର ଇଂରେଜ ଶାସନାଧୀନ ବେଙ୍ଗଲ -ନାଗପୁର ରେଲ୍ଓ୍ବେ (ବିଏନଆର) ଗାନ୍ଧିଜୀଙ୍କ ସମ୍ମାନାର୍ଥେ ଏହାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ୧୯୩୮ମାର୍ଚ୍ଚ ୨୫ ତାରିଖରେ ସକାଳ ୭ଟା ସମୟରେ ହାୱଡ଼ା-ପୁରୀ ଏକ୍ସପ୍ରେସ ଟ୍ରେନରେ ଗାନ୍ଧିଜୀ ଆସୁଥିଲେ । ରେଳ କର୍ତ୍ତୃପକ୍ଷ ବେରବାଇ ଗାଁ ମଝିରେ ଏକ ଅସ୍ଥାୟୀ ରେଳଷ୍ଟେଶନ କରିବା ସହ ସେଠାରେ ଆଗରୁ କାଠରେ ପାହାଚ ତିଆରି କରିଥିଲେ । ମାର୍ଚ୍ଚ ୨୫ ତାରିଖରୁ ୩୧ଯାଏଁ ବେରବୋଇର ବ୍ରହ୍ମେଶ୍ୱର ପୋଖରୀ ହୁଡ଼ାରେ ନିର୍ମିତ ଅସ୍ଥାୟୀ ନଡ଼ାଛପର ଘରେ ଗାନ୍ଧିଜୀ ସାତଦିନ ବିତାଇଥିଲେ । ତାଙ୍କ ସାଥିରେ ଥିଲେ କସ୍ତୁରବା ଗାନ୍ଧି, ପୁତ୍ର ମଣିଲାଲ, ପୁତ୍ରବଧୂ ସୁଶୀଳା, ନାତି ଅରୁଣ ଗାନ୍ଧି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ରମାଦେବୀ, ମୌଲାନା ଆବୁଲ କାଲାମ ଆଜାଦ୍, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ବିନୋଦ କାନୁନ୍ଗୋ, ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଗଣ । ଗାନ୍ଧିଜୀ ପ୍ରାତଃ ଭ୍ରମଣ ସମୟରେ ସେଠାରେ ପଡ଼ିଥିବା ଏକ ବାଉଁଶକୁ ଦେଖୁଥିବାବେଳେ ତାହା ଆଚାର୍ଯ୍ୟ ହରିହରଙ୍କ ନଜରରେ ପଡ଼ିଥିଲା । ପରେ ଆଚାର୍ଯ୍ୟ ହରିହର ଗାନ୍ଧିଜୀଙ୍କୁ ଏକ ସୁନ୍ଦର ବାଉଁଶ ବାଡ଼ିଟିଏ ପ୍ରଦାନ କରିଥିଲେ । ବେରବୋଇ ସମ୍ମିଳନୀରେ ଶହ ଶହ ମହିଳା ଓ ପୁରୁଷ ଗାନ୍ଧିଜୀଙ୍କ ଭାଷଣ ଶୁଣି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜ ସରକାର ଏହି ଆଶ୍ରମକୁ ବେଆଇନ ଘୋଷଣା କରିବା ସହ କୃପାସିନ୍ଧୁ ହୋତାଙ୍କୁ ଗିରଫ କରିଥିଲେ । ତା’ପରେ ଆଶ୍ରମ ପରିଚାଳନା ଦାୟିତ୍ୱରେ ଥିବା ସୁନାମଣି ଦେବୀଙ୍କ ସହ ଅନ୍ତେବାସୀଙ୍କୁ ଗିରଫ କରାଯାଇଥିଲା । ସମୟକ୍ରମେ ଅଞ୍ଚଳବାସୀଙ୍କ ଅନୁରୋଧରେ କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ପକ୍ଷରୁ ୧୯୭୨ରେ ଗ୍ରାମ ସେବାକେନ୍ଦ୍ର ନାମରେ ଏଠାରେ ଏକ ଆଶ୍ରମ ସ୍ଥାପିତ ହୋଇଛି ।
ଅ, ଆ ଶିଖିଥିଲେ:୧୯୪୩ ମସିହା ମେ ୩୦ରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଧୂମାତ୍ ଗାଁରେ ଗାନ୍ଧିଜୀଙ୍କୁ ସଂକୀର୍ତ୍ତନ ମେଳାରେ ସ୍ୱାଗତ କରାଯାଇ ଭକ୍ତବିଳାସ ମଠ ପଡ଼ିଆକୁ ଅଣାଯାଇଥିଲା । ଏଠାରେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପାଇଁ ଏକ ସଭା କରାଯାଇଥିଲା । ଭକ୍ତବିଳାସ ମଠରେ ଗୋଟିଏ ରାତି ଗାନ୍ଧିଜୀ ରହିଥିଲେ । ଏଠାରେ ମଙ୍ଗଳା ସେନ୍ ଓ ରମାଦେବୀ ଗାନ୍ଧିଜୀଙ୍କୁ ଓଡ଼ିଆରେ ଅ,ଆ ଶିଖାଇଥିଲେ । ଅରଟ କେନ୍ଦ୍ର ଖୋଲାଯାଇଥିଲା ।
କଟକରେ ସୁନା ଅଳଙ୍କାର ପ୍ରଦାନ କରାଯାଇଥିଲା:୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧିଜୀ ପ୍ରଥମେ କଟକ ଆସିଥିଲେ । କାଠଯୋଡ଼ି ନଦୀ ତଟରେ ବିରାଟ ସଭା କରିଥିଲେ । ବହୁସଂଖ୍ୟକ ମହିଳା, ପୁରୁଷ ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧୀଙ୍କ ଅନୁଗ୍ରହ ପାଇ ସେମାନେ ନିଜ ଗହଣା ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ଗାନ୍ଧିଙ୍କୁ ପ୍ରଦାନ କରିଥିଲେ । ପୁନର୍ବାର ସେ ୧୯୪୬ ଜାନୁୟାରୀ ୨୦ରେ ସ୍ୱରାଜ ଆଶ୍ରମକୁ ଆସିଥିଲେ ।
ସମୂହ ପଂକ୍ତି ଭୋଜନ କରିଥିଲେ:
୧୯୩୪ ମସିହା ମେ’ ୧୩ରୁ ୧୫ ତାରିଖ କୁଆଖାଇ, କୁଶଭଦ୍ରା ନଦୀପାଶ୍ୱର୍ସ୍ଥ ବାଲିଅନ୍ତା ହାଟପଡ଼ିଆ ଆମ୍ବତୋଟାରେ ସହଯୋଗୀମାନଙ୍କ ସହ ଗାନ୍ଧିଜୀ ରହିଥିଲେ । ନିକଟସ୍ଥ କୁଞ୍ଜବିହାରୀ ମନ୍ଦିରରେ ହରିଜନମାନଙ୍କୁ ପ୍ରବେଶ କରାଇ ସମୂହ ପଂକ୍ତି ଭୋଜନ କରିଥିଲେ । ସେହିପରି ଗାନ୍ଧିଜୀ ପୁରୀରୁ କଟକର ଦେବୀଗଡ଼ାକୁ ପଦାଯାତ୍ରାବେଳେ ଗୋଟିଏ ଦିନ ତେଲେଙ୍ଗାପେଣ୍ଠଠାରେ ରହିଥିଲେ ଏବଂ ସ୍ୱଦେଶୀ ବ୍ୟବହାର ସମ୍ପର୍କରେ ଆହ୍ୱାନ ଦେଇଥିଲେ । ଭଦ୍ରକ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂହପୁର, ବୋଲଗଡ଼, ବ୍ରହ୍ମପୁର, ପୁରୀ, ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ କାଦୁଆ ଆଶ୍ରମ, ଦାଣ୍ଡମୁକୁନ୍ଦପୁର, ବାଳକାଟୀ, ବାଲିଅନ୍ତାରେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର, ହସ୍ତଶିଳ୍ପ, ଗୋପାଳନକୁ ଗୁରୁତ୍ୱ ଦେଇଥିଲେ । ଏଥିରେ ଉକ୍ରଳମଣି ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ଚନ୍ଦ୍ରଶେଖର ବେହେରା, ରମାଦେବୀ, ନବକୃଷ୍ଣ ଚୌଧୁରୀ ପ୍ରମୁଖ ସାମିଲ ଥିଲେ । ଏତଦ୍ ବ୍ୟତୀତ ଗାନ୍ଧିଜୀ ଓଡ଼ିଶାର ଆଉ କେତେକ ସ୍ଥାନକୁ ମଧ୍ୟ ଆସିଥିଲେ । ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।


