ପ୍ରାଣୀ ଚିକିତ୍ସାରେ ଆତ୍ମସନ୍ତୋଷ ପାଉଥିବା ପ୍ରିୟବ୍ରତ
ବନ୍ତ, (ଚାନ୍ଦିନୀ ମହାନ୍ତି):ପ୍ରାଣୀ ଚିକିତ୍ସା ବିଭାଗରେ ଚାକିରୀ କରି ପ୍ରାଣୀ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବନ୍ତ ବ୍ଲକ ସରମରା ଗ୍ରାମର ପ୍ରିୟବ୍ରତ ରାଉତ । ଚାକିରୀ ସମୟରୁ ଟିକେ ଫୁରସତ୍ ପାଇଲେ ବ୍ଲକର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରାଣୀ ମାନଙ୍କ ଚିକିତ୍ସା କରି ସେହିଥିରୁ ପରମ ଆନନ୍ଦଲାଭ କରିଥାନ୍ତି । ପିତା ଆନନ୍ଦ ଚନ୍ଦ୍ର ରାଉତ ଓ ମାତା ସାବିତ୍ରୀଙ୍କ ଔରସରୁ ଜାତ ପ୍ରିୟବ୍ରତ ପିଲାଟି ବେଳୁ ପ୍ରାଣୀ ମାନଙ୍କୁ ସ୍ନେହଆଦର କରିଆସୁଥିଲେ । ଯୁକ୍ତ ଦୁଇ ଭୋକେସନାଲ ଶିକ୍ଷା ପରେ ୨୦୧୧ ମସିହାରେ ସମ୍ବଲପୁରସ୍ଥିତ ଚିପିଲିମାସ୍ଥିତ ଲାଇଭଷ୍ଟକ୍ ବ୍ରିଡିଂଙ୍ଗ ଫାର୍ମରେ ପ୍ରଶିକ୍ଷଣ ନେଲେ । ୨୦୧୨ ମସିହାରେ ବନ୍ତ ବ୍ଲକ ଆଡିଆ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପ୍ରଥମେ ନିଯୁକ୍ତି ପାଇଥିଲେ । ପ୍ରାଣୀ ନୀରିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରି ଏହାକୁ ପେସା ଓ ନିଶା ଭାବେ ଗ୍ରହଣ କରିଥିଲେ । ପ୍ରାଣୀ ମାନଙ୍କର ସରଳ ଚିକିତ୍ସା କରି ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ହୋଇପାରିଛନ୍ତି । ଓଡଙ୍ଗ ଅଞ୍ଚଳରେ ଦିନକୁ ଦିନ ଚାରଣ ଭୂମି କମି ଯାଉଥିବାରୁ ବିଭିନ୍ନ କିସମର ଘାସ ଚାଷ କରିବା ପାଇଁ ଗୋ-ପାଳକ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶ ଓ ସହଯୋଗରେ ଗୋପାଳକ ମାନେ ହାଇବ୍ରିଡ ନାପିଅର, ସୁପର ନାପିଅର ଆଜୁଲା, ବାରାଗୁଡି,ବାରଜିମ ଭଳି ବିଭିନ୍ନ ପ୍ରଜାତିର ଘାସ ଚାଷ କରି ଗାଈ ମାନଙ୍କ ପାଇଁ ଖାଦ୍ୟ ସମସ୍ୟା ଦୂର କରିପାରିଛନ୍ତି । ଏଥିସହ ଗାଈ ମାନଙ୍କ ପାଇଁ ଦାନା କିଣିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି । ବିଦେଶୀ ଗାଈଙ୍କ ଠାରୁ କୃତ୍ତିମ ପ୍ରଜନନ ମାଧ୍ୟମରେ ଶଙ୍କର ଜାତୀୟ ଛୁଆ ସୃଷ୍ଟି କରି ଗୋପାଳକ ମାନଙ୍କ ଗାଈ ସଂଖ୍ୟା ବୃଦ୍ଧି କରିଛନ୍ତି । ବେକାରୀ ଯୁବକ ମାନଙ୍କୁ ସହଯୋଗର ହାତ ବଢାଇ ପଲ୍ୟୁଟାରୀ ଫାର୍ମ କରିବା ପାଇଁ ପରାମର୍ଶ ଦେଇ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ପ୍ରାଣୀ ଚିକିତ୍ସା ସେବା ସହ ସେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତଦାନ କରିବା, ଅଗ୍ନି ବିପନ୍ନ ଅସହାୟଙ୍କୁ ସହାୟତା ପ୍ରଦାନ କରିବା, ବୃକ୍ଷରୋପଣ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥିସହ ସେ ଗତ ୨୦୧୬ ମସିହା ଠାରୁ ନିଖିଳ ଉତ୍କଳ ଜିଲ୍ଲା ଅଣ-ଗେଜେଟେଡ ବୈଷୟିକ କର୍ମଚାରୀ ସଂଘ ଭଦ୍ରକ ଜିଲ୍ଲାର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଉତ୍ତମ ଚିକିତ୍ସା ସେବା ପାଇଁ ତାଙ୍କୁ ଜିଲା ସ୍ତରୀୟ ମହତାବ ଜୟନ୍ତୀ କମିଟି, ପଣ୍ଡିତ ପୁରୁଷୋତ୍ତମ କରଶର୍ମା ସ୍ମୃତି କମିଟି ପକ୍ଷରୁ ପୁରୁଷୋତ୍ତମଙ୍କ ଜୟନ୍ତୀ ସମାରୋହରେ ଭଦ୍ରକ ସହୀଦ ସ୍ମୃତି ଭବନ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ଏହାବ୍ୟତୀତ ପଶୁ ପକ୍ଷୀ ସମ୍ବନ୍ଧୀୟ ତଥା ଅନ୍ୟାନ୍ୟ ବିଷୟରେ ତାଙ୍କ ଆର୍ଟିକିଲ ବହୁ ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତାଙ୍କର ଏସବୁ ପାରଦର୍ଶିତା ପାଇଁ ପ୍ରାଣୀ ସମ୍ପଦ ବିଭାଗ ଗର୍ବ ଅନୁଭବ କରୁଥିବା ବିଭାଗୀୟ ଅଧିକାରୀ ମାନେ ପ୍ରକାଶ କରିଛନ୍ତି । କଥା କହି ପାରୁନଥିବା ଓ ମଣିଷର ଭାଷା ବୁଝିପାରୁନଥିବା ପଶୁପକ୍ଷୀ ମାନଙ୍କର ଚିକିତ୍ସାରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ପ୍ରିୟବ୍ରତ କହିଛନ୍ତି ।


