ବନ୍ୟା ଅତଙ୍କରେ ୫୫ ପଞ୍ଚାୟତବାସୀ
କେନ୍ଦ୍ରାପଡା – ମହାନଦୀରେ ପ୍ରଥମ ବନ୍ୟା ଜଳ ବୁଧବାର ପ୍ରବାହିତ ହୋଇଛିି । ଗୁରୁବାର କଟକ ମୁଣ୍ଡଳୀ ଠାରେ ୧୧ ଘନ ଫୁଟ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେବା ଜଳ ସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଖବର ପ୍ରକାଶ ପରେ କେନ୍ଦ୍ରାପଡା ଜିଲାର ସମୁଦ୍ର ତଟବର୍ତ୍ତି ଅଞ୍ଚଳର ୫୫ ପଞ୍ଚାୟତବାସୀ ଆତଙ୍କିତ ହୋଇପଡିଛନ୍ତି । ବିଶେଷ କରି ମହାନଦୀ ସିଷ୍ଟମରେ ଥିବା ପାଇକା, ଲୁଣା, ଚିତ୍ରୋତ୍ପଳା, ମହାନଦୀ କୂଳ ଅଞ୍ଚଳରେ ବନ୍ୟା ଦ୍ୱାରା ବିଶେଷ କ୍ଷତି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଡେରାବିଶ, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକ ଅଞ୍ଚଳର ୪୭ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବା ଗତ ଜୁଲାଇ ମାସରେ ଜଳସମ୍ପଦ ବିଭାଗର ସମୀକ୍ଷା ବୈଠକରୁ ସୂଚନା ମିଳିଥିଲା । ଏହି ନଦୀବନ୍ଧ ତୁରନ୍ତ ମରାମତି ପାଇଁ ଜିଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେବା ସତ୍ୱେ ଏହାର ସମ୍ପୂର୍ଣ୍ଣ ମରାମତି ସରିନାହିଁ । ସେହିପରି ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା ନଦୀ ଓ ଶାଖା ନଦୀର ତଳ ମୁଣ୍ଡରେ ବନ୍ଧ ନଥିବାରୁ ବ୍ୟାଜଳ ଧନ, ଜୀବନ ନଷ୍ଟ ସହ ଚାଷ କ୍ଷତି କରିବା ଆଶଙ୍କା ପ୍ରକାଶ ପାଇଛି । ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ବର୍ମା ସୂଚନା ଦେଇଛନ୍ତିଯେ, ଜିଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟିି ରଖିଛି । ଦୁର୍ବଳ ନଦୀବନ୍ଧ ମରାମତି ସହିତ ଆବଶ୍ୟକୀୟ ବାଲିବସ୍ତା ଗଛିିତ ରଖାଯାଇଛି । ସେହିପରି ଜଳ ସମ୍ପଦ ବିଭାଗ ବନ୍ୟା ଜଳର ଗତି ନିରିକ୍ଷଣ ସହ ଶ୍ରମିକ ଓ ଟ୍ରାକ୍ଟର ମହଜୁଦ କରି ରଖିଛନ୍ତି । କୌଣସି ସ୍ଥାନରେ ବନ୍ଧ ଭାଙ୍ଗିବା ଅବସ୍ଥାରେ ନଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ଆବଶ୍ୟକ ମୁତାବକ ବନ୍ୟା ପ୍ଲାବିତ ଅଞ୍ଚଳରୁ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ସ୍ୱାସ୍ଥ୍ୟ ସେବା ଓ ରାସନ ଯୋଗାଇ ଦେବା ପାଇଁ ବିଡିଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।