ନିଷ୍କାସନ ନାଳ ନଥିବାରୁ ସମସ୍ୟାରେ ୩ ପରିବାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ବଡସାହି ଠାରେ ନିଷ୍କାସନ ନାଳ ନଥିବାରୁ ୩ଟି ପରିବାର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ପ୍ରକାଶ ଯେ, ପୂର୍ବରୁ ଭଦ୍ରକ-ଆନନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ଟିଲୋ ବଡସାହି ଛକ ଠାରୁ ବଡସାହି ଗ୍ରାମକୁ ଲୋକମାନେ ଯାତାୟତ କରୁଥିଲେ । ମାତ୍ର ଗତ ୨ ବର୍ଷ ତଳେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ପୁରୁଣା ପୂର୍ତ୍ତ ବିଭାଗ ରାସ୍ତା ଦେଇ ନୂତନ ରାଜପଥ ତିଆରି କରାନଯାଇ ୩ ଶହ ମିଟର ଦୂରରେ ରାସ୍ତା ନିର୍ମାଣ କରାଯାଇଥିଲା । ଫଳରେ ବଡସାହି ଗ୍ରାମର ୬ଟି ପରିବାର ପୁରୁଣା ଓ ନୂତନ ରାସ୍ତା ମଧ୍ୟରେ ରହିଯାଇଛନ୍ତି । ନୂତନ ରାଜପଥ ନିର୍ମାଣ ହେବା ଫଳରେ ୬ଟି ପରିବାର ବସବାସ କରୁଥିବା ଗ୍ରାମ୍ୟ ରାସ୍ତାର ଜଳ ନିଷ୍କାସନ ହୋଇପାରୁନାହିଁ । ଗତ ଦୁଇ ଦିନ ହେବ ବର୍ଷା ହେବା ଫଳରେ ଗ୍ରାମର ଘନଶ୍ୟାମ ସା, ରବିନ୍ଦ୍ର ସା, ତରଣୀସେନ ସାଙ୍କ ଘରେ ପାଣି ପସି ଧାନ ଚାଉଳ ନଷ୍ଟ ହୋଇଥିବା ଜଣାଯାଇଛି । ତେବେ ପୁରୁଣା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ନୟନଜୋରୀକୁ ଜବରଦଖଲ ଉଚ୍ଛେଦ କରି ଜଳ ନିଷ୍କାସନ ନାଳ ତିଆରି କରିବା କିମ୍ବା ରାଜ୍ୟ ରାଜପଥ ପାଶ୍ୱର୍ରେ ଜଳ ନିଷ୍କାସନ ନାଳ ନିର୍ମାଣ କରାଗଲେ ସଂପୃକ୍ତ ୬ଟି ପରିବାର ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ଏନେଇ ସମସ୍ୟା ଭୋଗୁ ଥିବା ପରିବାରଲୋକେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିବା ଜଣାଯାଇଛି ।


